କନକ ବ୍ୟୁରୋ : ରୋଜଗାର ଆଶାରେ କାମ କରିବାକୁ ଯାଇଥିବା ଠିକା ଶ୍ରମିକ, ସୁରକ୍ଷିତ କର୍ମକ୍ଷେତ୍ରରୁ ଫେରିବା ବଦଳରେ ଯଦି ତାଙ୍କ ମୃତଦେହ ଫେରିବ, ତେବେ ତାକୁ ସୁରକ୍ଷା ଅବହେଳା ବ୍ୟତୀତ ଆଉ କ’ଣ କୁହାଯିବ? ଆର୍ଏସ୍ପି ଭଳି ପ୍ରତିଷ୍ଠିତ କାରଖାନାରେ ଠିକ୍ ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଯେତେବେଳେ ୪-୪ ଜଣ ଠିକା ଶ୍ରମିକଙ୍କ ମୃତ୍ୟୁ ହୋଇଛି ।

Advertisment

ଗ୍ୟାସ୍ ମିକ୍ସିଂ ଟ୍ୟାଙ୍କ୍ ଅଂଚଳରେ ଚାଲିଥିବା ମରାମତି କାମ । ହଠାତ୍ ବିଷାକ୍ତ କାର୍ବନ ମନୋକସାଇଡ୍ ଗ୍ୟାସ ଲିକ୍ ହେବା ଆରମ୍ଭ କରିଥିଲା । ଦେଖୁ ଦେଖୁ ଷ୍ଟାର୍ ଷ୍ଟାର କନ୍ଷ୍ଟକ୍ସନ୍ର ୬ ଜଣ କର୍ମଚାରୀ ଅସୁସ୍ଥ ହୋଇଯାଇଥିଲେ । ସେମାନଙ୍କୁ ପ୍ରଥମେ ପ୍ଲାଂଟର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯିବା ଯାଇଥିଲା । ପରେ ୪ଜଣ ଗୁରୁତରଙ୍କୁ ଆଇଜିଏଚରେ ଭର୍ତି କରାଯାଇଥିଲା । ଏହି ୪ଜଣଙ୍କ ମୃତ୍ୟୁ ହୋଇଛି । ତେବେ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିବାରୁ ରାଉରକେଲା ଷ୍ଟିଲ୍ ପ୍ଲାଂଟର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି ଶ୍ରମିକ ସଂଗଠନର ନେତା ।

ଏପଟେ ଏନର୍ଜିଂ ମ୍ୟାନେଜମେଂଟ ବିଭାଗର ଡିଜିଏମ୍ ଗୋପବନ୍ଧୁ ବାରିକ୍ ଏବଂ ସିସିଡି ମେକାନିକାଲ ଡିଜିଏମ୍ ନବେନ୍ଦୁ ଦାଶଙ୍କୁ ନିଲମ୍ବନ କରିଛନ୍ତି ଆର୍ଏସ୍ପି କର୍ତୃପକ୍ଷ । ଆଉ ଏହାରି ଭିତରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଏବଂ ପରିବାରର ଜଣେ ସଦସ୍ୟଙ୍କୁ ସ୍ଥାୟୀ ଚାକିରି ଦିଆଯିବା ନେଇ ଆର୍ଏସ୍ପି କର୍ତୃପକ୍ଷ କହିଛନ୍ତି । ସେହିପରି ଷ୍ଟାର କନ୍ଷ୍ଟକ୍ସନ୍ ଠିକା ସଂସ୍ଥା ପକ୍ଷରୁ ମୃତକଙ୍କ ପରିବାରକୁ ଅଢ଼େଇ ଲକ୍ଷ ଲେଖାଏଁ କ୍ଷତିପୂରଣ ଓ ଅନ୍ତିମ ସଂସ୍କାର ପାଇଁ ୧୦ ହଜାର ଟଙ୍କା ଦିଆଯାଇଛି । ପ୍ରଶ୍ନ ହେଉଛି-

- ନିଜ ଦୋଷ-ତ୍ରୁଟିକୁ ଘୋଡ଼ାଇବାକୁ ଚାହୁଁଛି କି ଆର୍ଏସ୍ପି?
- ଆର୍ଏସ୍ପିରେ ଶ୍ରମିକ ସୁରକ୍ଷା ନେଇ କାହିଁକି ବାରମ୍ବାର ଉଠୁଛି ପ୍ରଶ୍ନ?
- ଅଘଟଣକୁ ଏଡ଼ାଇବା ପାଇଁ ଆର୍ଏସ୍ପି ପକ୍ଷରୁ କ’ଣ ସବୁ ବ୍ୟବସ୍ଥା ହୋଇଛି?
- କାହିଁକି ଆର୍ଏସ୍ପିରେ ବାରମ୍ବାର ଅଘଟଣ ଘଟୁଛି?

ଏଭଳି ଅନେକ ପ୍ରଶ୍ନ ଭିତରେ ଭୁବନେଶ୍ୱରରେ ଥିବା ଫେକ୍ଟ୍ରି ଓ ବଏଲର୍ ନିର୍ଦ୍ଦେଶକଙ୍କୁ ଦୁର୍ଘଟଣା ସମ୍ପର୍କରେ ରିପୋର୍ଟ ଦେଇଛନ୍ତି ଆର୍ଏସ୍ପି କର୍ତୃପକ୍ଷ । ଏପଟେ ମୃତ ଶ୍ରମିକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ।