ଅନଲାଇନରେ ଗଂଜେଇ ପରେ ଏବେ ବିଷ ସପ୍ଲାଏ । କମ୍ପାନୀର ୨ ଅଧିକାରୀଙ୍କ ବିରୋଧରେ ମାମଲା

131

କନକ ବ୍ୟୁରୋ: ପୂର୍ବରୁ ଅନଲାଇନରେ ଗଂଜେଇ ସପ୍ଲାଏ ହେଉଥିବା ଖବର ଆସିଥିଲା । ଏକ ଅନଲାଇନ୍ କମ୍ପାନୀ ଷ୍ଟିଭିଆ( ପ୍ରକୃତିକ ମିଠା ପତ୍ର) ନାଁରେ ଗଂଜେଇ ଡେଲିଭରୀ ଖବର ପୋଲିସ ଜାଣିବା ପରେ ଏହା ଗଣମାଧ୍ୟମରେ ବି ପ୍ରକାଶ ପାଇଥିଲା । ଏହାପରେ ଏବେ ବିଷ ସପ୍ଳାଏ ଖବର ଆସିଛି । ଏପରି ଘଟିଛି ମଧ୍ୟପ୍ରଦେଶ ଭିଣ୍ଡ୍ଇଲାକାରେ ।

ଅନଲାଇନରେ ସଲଫାସ୍ ନାମକ ବିଷାକ୍ତ ଔଷଧ ମଗାଇ ଏହାକୁ ଖାଇବା ପରେ ଯୁବକଙ୍କ ମୃତ୍ୟୁ ହୋଇଛି । ଏନେଇ ମୃତ ଯୁବକଙ୍କ ବାପା ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରାଙ୍କୁ ଭେଟି ସବୁ ଜଣାଇବା ପରେ ତାଙ୍କ ନିର୍ଦ୍ଦେଶରେ ଯାଞ୍ଚ କରି ସମ୍ପୃକ୍ତ ଅନଲାଇନ୍ କମ୍ପାନୀର ୨ ଅଧିକାରୀଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ । ସଲଫାସ୍ ଏକ ବିଷାକ୍ତ ପାଉଡର ଯାହାକୁ ଅଧିକାଂଶ ସମୟରେ ବିଲରେ କୀଟ ନାଶକ ଭାବେ ବ୍ୟବହାର କରାଯାଏ ।

ମୃତକ ଅନଲାଇନରେ ଏପରି ଘାତକ ଔଷଧ ମଗାଇଥିଲେ ବି କମ୍ପାନୀ କିପରି କୌଣସି ଡକ୍ୟୁମେଣ୍ଟ ଯାଞ୍ଚ ନକରି ଏହାକୁ ଡେଲିଭରୀ କରିଥିଲା ବୋଲି ପୋଲିସ୍ ଉକ୍ତ କମ୍ପାନୀକୁ ଇମେଲରେ ପ୍ରଶ୍ନ କରିଥିଲେ ବି କୌଣସି ଉତ୍ତର ମିଳିନଥିଲା । ଏହାପରେ ପୋଲିସ ୨ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରି ଯାଞ୍ଚ ଜାରି ରଖିଛି ।