ପୋଟଳ ମାରୁଛି ପେଟରେ ଲାତ । ଚାଷୀ ବିକୁଛନ୍ତି ୧୫ ଟଙ୍କାରେ, ଗ୍ରାହକ କିଣୁଛନ୍ତି ୬୦ରେ । ମଝିରେ କିଏ ନେଉଛି ଫାଇଦା ? ଚାଷୀଙ୍କ ହକ ପଇସାରେ କିଏ ବସାଉଛି ଭାଗ ?

766

କନକ ବ୍ୟୁରୋ: ଲଘୁଚାପ ବର୍ଷା ପରଠାରୁ ପୋଟଳ ଚାଷୀଙ୍କୁ ଘାରିଛି ପୋଟଳ ବଂଚାଇବା ଓ ବିକ୍ରୀର ଚିନ୍ତା । ବର୍ଷା ଯୋଗୁଁ ପୋଟଳରେ ରୋଗ ପୋକ ଲାଗିଛନ୍ତି । ଫଳରେ ଗଛରେ କଷି ପୋଟଶ ପାଚି ଯାଉଛି । ଯାହାକୁ ଚାଷୀ ତୋଳିଲେ ବିକ୍ରି ହୋଇ ପାରୁନାହିଁ । ପାଚିଲା ପୋଟଳକୁ ଦେଖି ଚିନ୍ତାରେ ପଡିଛନ୍ତି ଦେବଗଡ ଜିଲ୍ଲା ସଦର ବ୍ଲକ କୁଣ୍ଢେଇଗୋଳା ଓ ଚଢେଇମରା ପଂଚାୟତର ଚାଷୀ ।

ବଜାରରେ ଦେଶୀ ପୋଟଳ କିଲୋ ୬୦ରୁ ୮୦ । ବ୍ୟବସାୟୀ ସିନା ଏତେ ଟଙ୍କାରେ ପୋଟଳ ବିକ୍ରି କରୁଛନ୍ତି, ପ୍ରକୃତ ପୋଟଳ ଚାଷୀ କିନ୍ତୁ ଅଭାବି ବିକ୍ରିର ସମ୍ମୁଖୀନ ହେଉଛନ୍ତି । କାରଣ ବର୍ଷା ମାଡ ଖାଇବା ପରେ ପୋଟଳ ପରିବାରେ ରୋଗପୋକ ଲାଗିଛି । ପୋକ ଲାଗିବାରୁ ପୋଟଳ ଗୁଡିକ ହଳଦିଆ ହେବା ସହ ଗଛରେ ପାଚିଯାଉଛି । ତେଣୁ ଭୟରେ ଚାଷୀ ପୋଟଳ ତୋଳି ଦେଉଥିବା ବେଳେ ଅଭାବୀ ବିକ୍ରିର ସାମ୍ନା କରୁଥିବା ଅଭିଯୋଗ ହୋଇଛି ।

ଦେବଗଡ ବ୍ଲକ କୁଣ୍ଢେଇଗୋଳା, ଚଢେଇମରା ଅଂଚଳର ଜଳବାୟୁରେ ଭଲ ପୋଟଳ ଚାଷ ହୋଇଥାଏ । କୁଣ୍ଢେଇଗୋଳା, ଚଢେଇମରା ଓ ତୁଙ୍ଗାମାଳ ପଂଚାୟତ ଝରାବେରେଣୀ ,ଖିଲବେରେଣୀ, ତୋଟାବାରୀ, କମାରପାଳ, କୂଣ୍ଢେଇଗୋଳା ଅଂଚଳର ପ୍ରାୟ ୧୨ରୁ ଅଧିକ ଗାଁରେ ୨ଶହରୁ ଅଧିକ ଚାଷ ପୋଟଳ ଚାଷ କରିଥାନ୍ତି । ଏସବୁ ଅଂଚଳରୁ ଉତ୍ପାଦିତ ପୋଟଳ ରାଜ୍ୟ ବାହାରେ ବିକ୍ରି କରାଯାଏ । ଟାଟା, ରାଂଚି, ଜାମସେଦପୁରର ବ୍ୟବସାୟୀ ଆସି ସିଧାସଳଖ ଚାଷୀଙ୍କ ଠାରୁ ପୋଟଳ କିଣି ନେଇଥାନ୍ତି । ହେଲେ କରୋନା କଟକଣା ଯୋଗୁଁ ରାଜ୍ୟ ବାହାର ବ୍ୟବସାୟୀ ଆସୁନଥିବା ବେଳେ କଟକ, ଭୁବନେଶ୍ୱର, ଅନଗୁଳ ଅଂଚଳର ବ୍ୟବସାୟୀମାନେ ଚାଷୀଙ୍କ ଠାରୁ ମାତ୍ର ୧୫ ରୁ ୨୫ ଟଙ୍କାରେ ପୋଟଳ କିଣି ନେଉଛନ୍ତି । ଫଳରେ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି । ଆଗରୁ ଚାଷୀମାନେ ପୋଟଳ କିଲୋ ପ୍ରତି ୪୦ରୁ ୫୦ ଟଙ୍କାରେ ବିକ୍ରି କରି ଦୁଇ ପଇସା ରୋଜଗାର କରୁଥିଲେ ।

ତେବେ ଚଳିତ ବର୍ଷ ଫସଲର ଆୟ କମ ଥିବା ବେଳେ ବ୍ୟବସାୟୀ କମ୍ ମୂଲ୍ୟରେ କିଣି ନେଉଥିବାରୁ ଚାଷୀ ସାର ବିହନ ଓ ପରିଶ୍ରମର ମୂଲ୍ୟ ପାଇବେ ନା ନାହିଁ ତାକୁ ନେଇ ଦ୍ୱନ୍ଦ୍ୱରେ ପଡିଛନ୍ତି ।