ପଞ୍ଚଭୂତରେ ଲୀନ ହେଲେ କବି ଡକ୍ଟର ଜୟନ୍ତ ମହାପାତ୍ର। ପୂରଣ ହୋଇପାରିଲାନି ଶେଷ ଇଚ୍ଛା

Advertisment
ପଞ୍ଚଭୂତରେ ଲୀନ ହେଲେ କବି ଡକ୍ଟର ଜୟନ୍ତ ମହାପାତ୍ର। ପୂରଣ ହୋଇପାରିଲାନି ଶେଷ ଇଚ୍ଛା

କନକ ବ୍ୟୁରୋ: ପଞ୍ଚଭୂତରେ ଲୀନ ହୋଇଛନ୍ତି ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କବି ଡକ୍ଟର ଜୟନ୍ତ ମହାପାତ୍ରଙ୍କ ପାର୍ଥିବ ଶରୀର । କଟକ ଖାନନଗର ସ୍ଥିତ ଶ୍ମଣାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । କିନ୍ତୁ ତାଙ୍କର ଶେଷ ଇଚ୍ଛା ପୂରଣ ହୋଇପାରିନି । ଖାନନଗର ଶ୍ମଶାନରେ ବିଦ୍ୟୁତ ଚୁଲାରେ ତାଙ୍କର ମରଶରୀରକୁ ଦାହ କରିବା ପାଇଁ ସେ ଇଚ୍ଛା ପ୍ରକାଶ କରିଥିଲେ । କିନ୍ତୁ ବିଦ୍ୟୁତ ଚୁଲା ଖରାପ ହୋଇ ଯାଇଥିବାରୁ ତା’ବଦଳରେ ଗ୍ୟାସ ଚୁଲା ନିର୍ମାଣଧୀନ ରହିଛି । ତେଣୁ କାଠ ସାହାଯ୍ୟରେ ଶେଷକୃତ୍ୟ କରାଯାଇଛି ।

୨୦୦୮ରେ କବି ଜୟନ୍ତ ମହାପାତ୍ର ତାଙ୍କର ତିନିଟି ଶେଷ ଇଚ୍ଛା ସଂପର୍କରେ ଲେଖିଥିଲେ । ତାହା ଥିଲା - ‘ମୋ ମରଶରୀର ପୋତା ହେବ ନାହିଁ । ଖାନନଗର ବିଦ୍ୟୁତ ଚୁଲାରେ ଦାହ କରାଯିବ । ମୃତଦେହକୁ ଭ୍ୟାନ ବା ଆମ୍ବୁଲାନ୍ସରେ ନିଆଯିବ । ଯେତେଶୀଘ୍ର ଏସବୁ କାର୍ଯ୍ୟ ଶେଷ କରାଯିବ ।’ ’୩୫ ବର୍ଷ ଧରି ବିଶ୍ୱସନୀୟତାର ସହ ମୋ ସେବା କରି ଆସିଥିବା କେ. ସରୋଜିନୀଙ୍କୁ ୨୦ ଫୁଟରେ ୨୦ ଫୁଟ ଜମି ଦିଆଯିବ’ ।‘ମୋର ସମସ୍ତ ଚିଠି, ଦସ୍ତାବିଜ, ଅସଂପୂର୍ଣ୍ଣ ପାଣ୍ଡୁଲିପିକୁ ପୋଡ଼ି ଦିଆଯିବ’

କଟକକୁ ସେ ପ୍ରାଣ ଭରି ଭଲ ପାଉଥିଲେ । ତାହା ଥିଲା ତାଙ୍କର ଜନ୍ମଭୂମି, କର୍ମଭୂମି, ଆଉ ସେହି ମାଟିରେ ହିଁ ସେ ଚିରନିଦ୍ରାରେ ଶୋଇ ଯାଇଥିଲେ । ସାହିତ୍ୟିକ, ରାଜନେତା ଠାରୁ ଆରମ୍ଭ କରି ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶେଷ ଶ୍ରଦ୍ଧାଂଜଳି ଜଣାଇଥିଲେ ।

ଅସାଧାରଣ ବ୍ୟକ୍ତିତ୍ୱର ଅଧିକାରୀ ହୋଇଥିଲେ ବି ତାଙ୍କର ଜୀବନଶୈଳୀ ଥିଲା ଅତି ସାଧାରଣ । ବୃତିରେ ପଦାର୍ଥ ବିଜ୍ଞାନର ଅଧ୍ୟାପକ ପ୍ରବୃତି ଥିଲା ସାରସ୍ୱତ ସାଧନା । ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ଅନେକ ପୁସ୍ତକ ସେ ଲେଖି ଯାଇଛନ୍ତି । ତାଙ୍କର କାଳଜୟୀ ଲେଖା ତାଙ୍କୁ ଅମର କରି ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe