ନିରବ ମୋଦୀଙ୍କ ୧୦୦ କୋଟିର ବଙ୍ଗଳା ଭାଙ୍ଗିବାକୁ ବମ୍ବେ ହାଇକୋର୍ଟର ନିର୍ଦ୍ଦେଶ : ଡାଇନାମାଇଟ୍ ଲଗାଇ କରାଯିବ ବିସ୍ଫୋରଣ

220

ମହାରାଷ୍ଟ୍ରର ଅଲିବାଗରେ ପିଏନବି ଦୁର୍ନୀତିର ଅଭିଯୁକ୍ତ ନିରବ ମୋଦୀ ନିର୍ମାଣ କରିଥିବା ୧୦୦ କୋଟି ଟଙ୍କାର ବଙ୍ଗଳାକୁ ଭାଙ୍ଗିବା ପାଇଁ ସ୍ଥାନୀୟ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ୬ ସପ୍ତାହ ହେଲାଣି ଏହି ବଙ୍ଗଳା ଭାଙ୍ଗିବାକୁ ଉଦ୍ୟମ କରାଯାଉଛି। ବଙ୍ଗଳାର ମୂଳଦୁଆ ଏତେ ଦୃଢ଼ ରହିଛି ଯେ ତାହାକୁ ଭାଙ୍ଗିବା ସହଜ ହେଉନି। ସେଥିପାଇଁ ଡାଇନାମାଇଟ୍ ପକାଇ ତାହାକୁ ଉଡ଼ାଇ ଦେବାକୁ ନିଷ୍ପତ୍ତି ନିଆଯାଇଛି।ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କରେ ହୋଇଥିବା ୧୪ ହଜାର କୋଟି ଟଙ୍କା ଠକେଇର ମୁଖ୍ୟ ଅଭିଯୁକ୍ତ ନିରବ ୩୩ ହଜାର ବର୍ଗଫୁଟରେ ଏହି ବିଳାସପୂର୍ଣ୍ଣ ବଙ୍ଗଳା ନିର୍ମାଣ କରିଥିଲେ।

ଉପକୂଳ ନିୟାମକ ଜୋନ୍ (ସିଆରଜେଡ୍) ନିୟମକୁ ଉଲ୍ଲଂଘନ କରି ବେଆଇନ ଭାବେ ଏହାକୁ ନିର୍ମାଣ କରାଯାଇଥିଲା। ସେଥିପାଇଁ ତାହାକୁ ଭଙ୍ଗାଯାଉଛି। ଡାଇନାମାଇଟ୍ ଖଞ୍ଜିବା ପାଇଁ ଘରର କାନ୍ଥଗୁଡ଼ିକରେ କଣା କରାଯାଇଛି। ଶୁକ୍ରବାର ଦିନ ବଙ୍ଗଳାକୁ ବିସ୍ଫୋରଣ କରି ଉଡ଼ାଇ ଦିଆଯିବ। ଏହି ବଙ୍ଗଳା ଭିତରେ ସୁଇମିଂ ପୁଲ, ଉଚ୍ଚ ମାନର ସିକ୍ୟୁରିଟି ଗେଟ୍, ରିସୋର୍ଟ ଭଳି ସ୍ଲାଇଡ୍ ଏବଂ ବହୁ ଦାମୀ ଫିଟିଙ୍ଗସ୍ ରହିଛି। ମୁମ୍ବାଇ ଠାରୁ ୯୦ କିମି ଦୂର କିହିମ୍ ସମୁଦ୍ରକୂଳରେ ଏହି ବଙ୍ଗଳା ରହିଛି। ଏହି ଘର ସମେତ ସେଠାରେ ଥିବା ୫୮ଟି ଢାଞ୍ଚା ଭାଙ୍ଗିବାକୁ ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ଘରଗୁଡ଼ିକୁ ପରିବେଶ ନିୟମ ଉଲ୍ଲଂଘନ କରି ନିର୍ମାଣ କରାଯାଇଛି।

ନିରବ ମୋଦୀ ଉପରେ ମେହୁଲ ଚୌକସିଙ୍କ ସହିତ ମିଶି ୧୩ ହଜାର କୋଟି ଟଙ୍କାର ଠକେଇ କରିବାର ଅଭିଯୋଗ ଅଛି । ଏହି ମାମଲାରେ ସିବିଆଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଯାଂଚ କରୁଛି । ଉଭୟ ଦେଶ ଛାଡି ଚାଲିଯାଇଛନ୍ତି ।