କନକ ବ୍ୟୁରୋ : ପଟିଆ ଷ୍ଟେସନ୍ ରୋଡ୍ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍ବି) ଏଟିଏମ୍ରୁ ହୋଇଥିବା ୨୮ଲକ୍ଷ ଟଙ୍କା ଲୁଟ୍ ଘଟଣାକୁ ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଇନ୍ଫୋସିଟି ଥାନା ପୁଲିସକୁ କୌଣସି ସୁରାକ୍ ମିଳି ପାରିନାହିଁ। ସ୍ୱତନ୍ତ୍ର ପୁଲିସ ଟିମ୍ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ଅପରାଧୀ ଆଡ଼ାରେ ଚଢ଼ଉ କରିଥିଲେ ମଧ୍ୟ ସଫଳତା ପାଇନାହିଁ। ଅନ୍ଧାରରେ ବାଡ଼ି ବୁଲାଇ ପୁଲିସ ଏଠିସେଠି ଚଢ଼ଉ କରୁଥିଲେ ମଧ୍ୟ ଲୁଟେରାମାନଙ୍କୁ ଠାବ କରିବା ସମ୍ଭବ ହୋଇନାହିଁ।
ଲୁଟେରାମାନେ ଏଟିଏମ୍ର ସର୍ଭର ହ୍ୟାକ୍ କରି ଲୁଟ୍ କରିଥିବାରୁ ଏଥିରେ ଏକ ବଡ଼ଧରଣର ଗ୍ୟାଙ୍ଗ୍ ସମ୍ପୃକ୍ତ ଥିବା ଅନୁମାନ କରାଯାଉଛି। ଲୁଟ୍ ବେଳେ ଏଟିଏମ୍ ସର୍ଭର ହ୍ୟାକ୍ କରିବା ଭଳି ଅତ୍ୟାଧୁନିକ ପଦ୍ଧତି ବ୍ୟବହାର କରାଯାଇଥିବାରୁ ଏହି ଲୁଟେରାମାନେ କମ୍ପ୍ୟୁଟର୍ ବିଜ୍ଞାନ ଉପରେ ବେଶ୍ ଦକ୍ଷ ବୋଲି ଆକଳନ କରାଯାଉଛି। ତେଣୁ ଏଭଳି ଗ୍ୟାଙ୍ଗ୍କୁ ଠାବ କରିବା କାଠିକର ପାଠ ଓ କମିସନରେଟ୍ ପୁଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ବୋଲି କୁହାଯାଉଛି।
ପୁଲିସ ନିକଟସ୍ଥ ତେଲେଙ୍ଗା ବସ୍ତିରୁ ଦୁଇଜଣଙ୍କୁ ସନ୍ଦେହରେ ଆଣି ପଚାରଉଚରା କରିଥିଲା। ସେମାନଙ୍କ ଗତିବିଧିକୁ ଟାର୍ଗେଟ୍ କରି ପୁଲିସ ସେମାନଙ୍କୁ ପଚରାଉଚରା କରିଥିଲା। ମାତ୍ର ସେଥିରୁ ମଧ୍ୟ ପୁଲିସକୁ କିଛି ସୁରାକ୍ ମିଳିନାହିଁ। ଅନ୍ୟପକ୍ଷରେ ଏହି ଘଟଣାର ତୁରନ୍ତ ପର୍ଦ୍ଦାଫାସ୍ କରିବାକୁ ପୁଲିସ ଅଣ୍ଟା ଭିଡ଼ିଛି। ସ୍ୱତନ୍ତ୍ର ପୁଲିସ ଟିମ୍ ଉକ୍ତ ଅଞ୍ଚଳରେ ସେହି ସମୟରେ ଆକ୍ଟିଭ୍ ଥିବା ସମସ୍ତ ମୋବାଇଲ୍ ଫୋନ୍ର କଲ୍ ଡିଟେଲସକୁ ଛାନ୍ଭିନ୍ କରିବା ଆରମ୍ଭ କରାଯାଇଛି।
ସେହିଭଳି ସାଇଣ୍ଟିଫିକ୍ ଦଳ ଗତକାଲି ଘଟଣାସ୍ଥଳରୁ ଜବତ ହୋଇଥିବା ଗ୍ୟାସ୍ କଟର୍ ମେସିନ୍ ଓ ଚିଜେଲ୍ରୁ ଅପରାଧୀଙ୍କ ଆଙ୍ଗୁଠି ଚିହ୍ନ ଏବଂ ଅନ୍ୟ କିଛି ତଥ୍ୟର ପ୍ରମାଣ ପାଇବା ପାଇଁ ଜବତ ଜିନିଷଗୁଡ଼ିକୁ ଫରେନ୍ସିକ୍ ଲ୍ୟାବ୍କୁ ପଠାଇଛି। ସମସ୍ତ ରିପୋର୍ଟ ଆସିବା ପରେ ଲୁଟେରାମାନଙ୍କୁ ଠାବ କରିବା ସହଜ ହେବ ବୋଲି ପୁଲିସ ଅପେକ୍ଷା କରିଛି।
ସୂଚନାଯୋଗ୍ୟ, ଏଟିଏମ୍ ସର୍ଭର ବ୍ୟାଙ୍କ ସହିତ ସଂଯୁକ୍ତ ଥାଏ। ଫଳରେ ଏଟିଏମ୍ରେ କୌଣସି ସମସ୍ୟା ସୃଷ୍ଟି ହେଲେ ତୁରନ୍ତ ବ୍ୟାଙ୍କକୁ ସୂଚନା ମିଳିଥାଏ। କିନ୍ତୁ ଲୁଟେରାମାନେ ଏହି ଏଟିଏମ୍ର ସର୍ଭର ହ୍ୟାକ୍ କରିଦେଇଥିଲେ। ଫଳରେ ଗ୍ୟାସ୍ କଟର ଲଗାଇ ଚାମ୍ବର କାଟି ପକାଇଲେ ମଧ୍ୟ ବ୍ୟାଙ୍କକୁ କୌଣସି ସୂଚନା ମିଳି ପାରି ନଥିଲା।