କନକ ବ୍ୟୁରୋ : ଦେଶରେ କରୋନା ସ୍ଥିତିନେଇ ପ୍ରଧାନମନ୍ତ୍ରୀ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର ଆୟୋଜନ କରିଥିଲେ । ଏହି ବୈଠକର ପ୍ରଧାନମନ୍ତ୍ରୀଙ୍କୁ ଦେଶର ପ୍ରତ୍ୟେକ ରାଜ୍ୟର କରୋନା ସ୍ଥିତି ବାବଦରେ ଅବଗତ କରାଯାଇଛି । ରାଜ୍ୟ ମାନଙ୍କର ସ୍ଥିତି ଜାଣିବା ପରେ ପ୍ରଧାନମନ୍ତ୍ରୀ ଔଷଧ ଓ ଟିକାକୁ ନେଇ କିଛି ନିର୍ଦ୍ଦେଶନାମା ଜାରି କରିଛନ୍ତି । ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି କି ରାଜ୍ୟମାନଙ୍କରେ ଟିକାକରଣ ଗତି ଦ୍ରୁତ ହେବା ଦରକାର । ଏନେଇ ବାରମ୍ବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ରିପୋର୍ଟ ପହଂଚାଇବାକୁ ସେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Kanak News is now on WhatsApp
Join and get latest news updates delivered to you via WhatsApp
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି କି ଏକ ଚିତ୍ର ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟ ମାନଙ୍କର ସ୍ଥିତି ଅବଗତ କରାଯାଇଥିଲା । ଏଥିରେ ୧୨ ଟି ରାଜ୍ୟର ସକ୍ରିୟ ଥିବା ଏକ ଲକ୍ଷ କୋଭିଡ ରୋଗୀଙ୍କ ବାବଦରେ ସୂଚନା ଦିଆଯାଇଥିଲା । ଏହାସହ ସବୁଠାରୁ ଅଧିକ ସଂକ୍ରମିତ ଜିଲ୍ଲା ବାବଦରେ ବି ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଶଣ କରାଯାଇଛି । ଏସବୁ ଜାଣିବା ପରେ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି କି ସବୁ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆବଶକୀୟ ଭିତ୍ତିଭୂମି ବାବଦରେ ଏକ ମାର୍ଗଦର୍ଶିକା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପ୍ରେରଣ କରାଯାଉ ।
ଆଉଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଛନ୍ତି କି ରାଜ୍ୟ ସରକାରମାନେ ସେମାନଙ୍କ ରାଜ୍ୟର କେଉଁ ଜିଲ୍ଲାରେ ୧୦ ପ୍ରତିଶତରୁ ଅଧିକ ଆକ୍ଟିଭ୍ କେସ ରହିଛି ଓ କେଉଁ ଜିଲ୍ଲାରେ ୬୦ ପ୍ରତିଶତ ଆଇସିୟୁ ବେଡ ରେ କରୋନା ସଂକ୍ରମିତ ରହିଛନ୍ତି ତାହାର ଏକ ଲିଷ୍ଟ ପ୍ରସ୍ତୁତ କରନ୍ତୁ ।
ଏହି ବୈଠକରେ ପ୍ରଧାନମନ୍ତ୍ରୀ କରୋନା ଔଷଧ ଉପରେ ବି ଗୁରୁତ୍ୱାରୋପ କରିଛନ୍ତି । ରେମିଡେସିଭିର ସହିତ ଅନ୍ୟ ଔଷଧ ଉତ୍ପାଦନ ବୃଦ୍ଧି ହୋଇଥିବା ନେଇ ସେ ସୂଚନା ଦେଇଛନ୍ତି । ଆଗାମୀ ଦିନରେ କିଭଳି ଭାବେ ଟିକାକରଣ ଓ ଟିକା ଉତ୍ପାଦନକୁ ତ୍ୱରାନ୍ୱିତ କରାଯିବ ତାହା ଉପରେ ପ୍ରସ୍ତୁତ ହୋଇଥିବା ଏକ ରୋଡମ୍ୟାପର ସମୀକ୍ଷା କରିଥିଲେ ପ୍ରଧାନମନ୍ତ୍ରୀ ।