ଲୋକସଭା ନିର୍ବାଚନ ଲଢ଼ିପାରନ୍ତି ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଧାନ ସଚିବଙ୍କ ପୁଅ: ଆଇପିଏସ୍ ଚାକିରି ଛାଡ଼ି ଆରମ୍ଭ କରିଥିଲେ ବ୍ୟାଙ୍କ ଚାକିରି

204

କନକ ବ୍ୟୁରୋ: ରବିବାର ମୁଖ୍ୟ ନିର୍ବାଚନ କମିସନର ସୁନୀଲ ଆରୋରା ନିର୍ବାଚନର ତାରିଖ ଘୋଷଣା କରିବା ପରେ ଏବେ ସବୁ ଦଳ ନିଜ ନିଜର ପ୍ରାର୍ଥୀ ଚୟନକୁ ନେଇ ସକ୍ରିୟ ହୋଇ ଉଠିଛନ୍ତି । ବିପକ୍ଷ ଦଳକୁ ଟକ୍କର ଦେବା ଭଳି ପ୍ରାର୍ଥୀ ସମସ୍ତେ ବାଛିବା ଆରମ୍ଭ କରିଥିବା ବେଳେ ବିଜେପିକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରଧାନମନ୍ତ୍ରୀ ନରୋନ୍ଦ୍ର ମୋଦିଙ୍କ ପ୍ରଧାନ ସଚିବ ନୃପେନ୍ଦ୍ର ମିଶ୍ରଙ୍କ ପୁଅ ସାକେତ ମିଶ୍ର ଚଳିତବର୍ଷ ଲୋକସଭା ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ସେ ଉତ୍ତରପ୍ରଦେଶରୁ କୌଣସି ସିଟ୍‌ ପାଇଁ ଲଢ଼ି ନିଜ ଭାଗ୍ୟର ପରୀକ୍ଷା କରି ପାରନ୍ତି ବୋଲି ସୂଚନା ମିଳିଛି ।

ସୂଚନା ମୁତାବକ, ସେଣ୍ଟ ଷ୍ଟିଫେନ୍ସରୁ ଅର୍ଥଶାସ୍ତ୍ରରେ ସ୍ନାତକ କରିବା ପରେ ଆଇଆଇଏମ୍‌ରେ ଏମ୍‌ବିଏ କରିଥିଲେ ସାକେତ । ଏହା ପରେ ୧୯୯୪ମସିହାରେ ସେ ଆଇପିଏସ୍‌ ଅଫିସର ବନିଥିଲେ । କିନ୍ତୁ କିଛି ଦିନ ପରେ ସେ ଆଇପିଏସ୍‌ ଚାକିରି ଛାଡ଼ି ଡଚ୍‌ ବ୍ୟାଙ୍କ୍‌ରେ ଚାକିରି କରିବା ଆରମ୍ଭ କରିଥିଲେ । ପାଖାପାଖି ୧୬ବର୍ଷ ପର୍ଯ୍ୟନ୍ତ ଅନେକ ଅନ୍ତରାଷ୍ଟ୍ରୀୟ ବ୍ୟାଙ୍କ୍‌ରେ କାମ କରିବା ପରେ ସାକେତ ଏବେ ରାଜନୀତିରେ ନିଜ ଭାଗ୍ୟ ପରୀକ୍ଷା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।