ସମ୍ବିଧାନ ଦିବସ ଅବସରରେ ସଂସଦରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ : ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଲେ, ପରିବାରବାଦ ଦେଶ ପାଇଁ ବିପଦ

କାର୍ଯ୍ୟକ୍ରମରେ ସାମିଲ ହୋଇନାହାଁନ୍ତି କଂଗ୍ରେସ ସମେତ ଏକାଧିକ ଦଳ

302

କନକ ବ୍ୟୁରୋ : ସମ୍ବିଧାନ ଦିବସ ଅବସରରେ ସଂସଦ ଭବନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ରାଜନୀତିରେ ପରିବାରବାଦ ଦେଶ ପାଇଁ ଚିନ୍ତାର କାରଣ । ପାରିବାରିକ ଦଳର କାରଣ ଏହା ନୁହଁ କି, ଗୋଟିଏ ପରିବାରରୁ ଏକାଧିକ ଲୋକ ରାଜନୀତିକୁ ଆସନ୍ତୁ ।

ଏହା ସହ ପ୍ରଧାନମନ୍ତ୍ରୀ ୨୬/୧୧ ମୁମ୍ବାଇ ଆକ୍ରମଣକୁ ମନେପକାଇଥିଲେ । କହିଥିଲେ, ଆଜି ଦେଶବାସୀଙ୍କ ପାଇଁ ଦୁଃଖର ଦିନ । ଏହି ଆକ୍ରମଣରେ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ପ୍ରଧାନମନ୍ତ୍ରୀ । କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ ପ୍ରମୁଖ ଯୋଗଦେଇଥିଲେ । ସଂସଦ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ କଂଗ୍ରେସ ସମେତ ଏକାଧିକ ରାଜନୈତିକ ଦଳ ସାମିଲ ହୋଇନଥିଲେ ।

୨୦୦୮ ମସିହା ନଭେମ୍ବର ୨୬ରେ ମୁମ୍ବାଇରେ ହୋଇଥିବା ଆତଙ୍କୀ ହମଲା ସାରା ଦେଶର ଛାତି ଥରାଇଦେଇଥିଲା । ସେହି ୨୬/୧୧ ମୁମ୍ବାଇ ଆକ୍ରମଣକୁ ଆଜି ୧୩ ବର୍ଷ ପୁରଣ ହୋଇଛି । ୧୩ ବର୍ଷ ତଳେ ଆଜିର ଦିନରେ ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ମେରୁଦଣ୍ଡ ଦୋହଲାଇ ଦେଇଥିଲେ ଆତଙ୍କବାଦୀ । ଏହି ଆତଙ୍କବାଦୀ ଆକ୍ରମଣରେ ୧୩୭ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ମୁମ୍ବାଇରେ ମୃତ୍ୟୁର ତାଣ୍ଡବ ରଚିଥିଲେ ଆତଙ୍କି, ଯାହାକୁ କୌଣସି ଭାରତୀୟ କେବେ ବି ଭୁଲିପାରିବେ ନାହିଁ ।

୧୩ ବର୍ଷ ତଳେ ଆତଙ୍କବାଦୀମାନେ ମୁମ୍ବାଇରେ ରଚିଥିଲେ ଏହି ବର୍ବରକାଣ୍ଡ । ସବୁଦିନ ଭଳି ମାୟାନଗରୀ ମୁମ୍ବାଇ ବେଶ ଚଳଚଂଚଳ ଥିବା ବେଳେ ଆତଙ୍କିଙ୍କ ଗୁଳିମାଡ଼ରେ ଥରି ଉଠିଥିଲା ମୁମ୍ବାଇ । ଛତ୍ରପତି ଶିବାଜୀ ଟର୍ମିନାଲ ଭିତରେ ୨ ଜଣ ଆତଙ୍କବାଦୀ ପହଂଚି ଆଖିବୁଜା ଗୁଳିଚାଳନା କରିଥିଲେ । ଆଉ ସବୁଦିନ ପାଇଁ ଚାଲିଯାଇଥିଲା ୫୮ ଜଣ ନିରୀହ ଲୋକଙ୍କ ଜୀବନ । ଛତ୍ରପତି ଶିବାଜୀ ଟର୍ମିନାଲ ବ୍ୟତିତ ହୋଟେଲ ତାଜ, ହୋଟେଲ ଓବେରାୟ, ଲିଓପୋଲଡ଼ କ୍ୟାଫେ, କାମା ହସ୍ପିଟାଲ ଏବଂ ଦକ୍ଷିଣ ମୁମ୍ବାଇର ଅନେକ ସ୍ଥାନରେ ଆକ୍ରମଣ କରିଥିଲେ ଆତଙ୍କବାଦୀ । ସହରର ଅନେକ ସ୍ଥାନରେ ମୁହାଁମୁହିଁ ପରିସ୍ଥିତି ଦେଖାଦେଇଥିଲା ।

ପୁଲିସ ସମେତ ଅର୍ଦ୍ଧସାମରିକ ବଳ ମଧ୍ୟ ଆତଙ୍କି ବିରୋଧୀ ଲଢେଇରେ ସାମିଲ ହୋଇଥିଲେ । ମୁମ୍ବାଇ ଛତ୍ରପତି ଶିବାଜୀ ଟର୍ମିନାଲରେ ରକ୍ତର ହୋଲି ଖେଳିଥିଲେ ଆତଙ୍କି । ଅଜମଲ ଅମିର କସାବ ଜୀବନ୍ତ ଧରାପଡ଼ିବା ପରେ ପାକିସ୍ଥାନ ଆତଙ୍କି ଆକ୍ରମଣର ଯୋଜନା କରିଥିବା ନେଇ ପୋଲ ଖୋଲିଥିଲା । କସାବ ବିରୋଧରେ ମାମଲା ଚାଲିଥିଲା । ଶେଷରେ ତାକୁ ଫାଶୀ ଖୁଂଟରେ ଝୁଲାଯାଇ ମୃତ୍ୟୁ ଦଣ୍ଡ ଦିଆଯାଇଥିଲା ।