ଆଜି ସଂନ୍ଧ୍ୟା ୭ ଟାରେ ପ୍ରଧାନମନ୍ତ୍ରୀଙ୍କ ବିଶେଷ କାର୍ଯ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା’ । ଛାତ୍ର ଛାତ୍ରୀ ମାନଙ୍କୁ କହିବେ ପରୀକ୍ଷା ପୂର୍ବରୁ କେମିତି ହେବେ ପ୍ରସ୍ତୁତ

151

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସଂନ୍ଧ୍ୟା ୭ ଟା ବେଳେ ତାଙ୍କ ବହୁ ଚର୍ଚ୍ଚିତ ବାର୍ଷିକ କାର୍ଯ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା’ ରେ ଛାତ୍ର ଛାତ୍ରୀ, ଅବିଭାବକ ଓ ଶିକ୍ଷକ ମାନଙ୍କ ସହ ଭାବ ବିନିମୟ କରିବେ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଏହି କାର୍ଯ୍ୟକ୍ରମର ଚତୁର୍ଥ ସଂସ୍କରଣକୁ ଭର୍ଚୁଆଲ ମାଧ୍ୟମରେ କରାଯିବ ବୋଲି ସୂଚନା ମିଳିଛି । ଏନେଇ ନିଜେ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି କି ଏକ ନୂଆ ଫର୍ମାଟରେ ବିଭିନ୍ନ ବିଷୟକୁ ନେଇ ପରୀକ୍ଷାର୍ଥୀ, ଅବିଭାବକ ଓ ଶିକ୍ଷକ ମାନଙ୍କ ମଧ୍ୟରେ ଏକ ଆକର୍ଶଣୀୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହେବ ।

କହିରଖୁ କି ଛାତ୍ର ଛାତ୍ରୀ ମାନଙ୍କ ବୋର୍ଡ ପରୀକ୍ଷାର ବୋଝ ହାଲକା କରିବାକୁ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଏହି କାର୍ଯ୍ରକ୍ରମରେ ପ୍ରଧାନମନ୍ତ୍ରୀ ୯ମ ରୁ ଦ୍ୱାଦଶ ଶ୍ରେଣୀର ଛାତ୍ର ଛାତ୍ରୀ ମାନଙ୍କୁ ପରୀକ୍ଷା ବେଳେ କିଭଳି ନିଜକୁ ପ୍ରସ୍ତୁତ କରିବେ ତାହା ଉପରେ କିିଛି ଉପଦେଶ ଦେବେ । ଏହି କାର୍ଯ୍ୟକ୍ରମରେ ଛାତ୍ର ଛାତ୍ରୀ ମାନଙ୍କ ସହ ଅବିଭାବକ ଓ ଶିକ୍ଷକ ମାନେ ପ୍ରଧାନମନ୍ତ୍ରୀଙ୍କୁ ସିଧା ସଳଖ ପ୍ରଶ୍ନ ପଚାରିବାର ସୁଯୋଗ ପାଇବେ । ଚଳିତ ବର୍ଷ ଏହି କାର୍ଯ୍ୟକ୍ରମରେ ଭାଗନେବାକୁ ଛାତ୍ର, ଛାତ୍ରୀ, ଅବିଭାବକ ଓ ଶିକ୍ଷକଙ୍କୁ ମିଶାଇ ପ୍ରାୟ ୧୨ ଲକ୍ଷ ଲୋକ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଅନଲାଇନ ମାଧ୍ୟମରେ ପରସ୍ପର ସହ ମତ ବିନିମୟ କରିବେ ।

ହୋଇପାରେ ଏହି କାର୍ଯ୍ୟକ୍ରମରେ ସମସ୍ତେ ପ୍ରଶ୍ନ ପଚାରିବାର ସୁଯୋଗ ପାଇ ନପାରନ୍ତି, ହେଲେ ସମସ୍ତେ ଅନଲାଇନରେ ଏହି କାର୍ଯ୍ୟକ୍ରମ ଲାଇଭ୍ ଦେଖିବାର ସୁଯୋଗ ପାଇବେ । ଏହି କାର୍ଯ୍ୟକ୍ରମ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍, ଟ୍ୱିଟର ରେ ପ୍ରସାରଣ କରାଯିବ । ଏହି କାର୍ଯ୍ୟକ୍ରମକୁ ଲାଇଭ ଦେଖିବାକୁ ‘MyGovIndia’ ଟ୍ୱିଟର ହ୍ୟାଣ୍ଡେଲକୁ ଫଲୋ କରିପାରିବେ ।