ମୋଦିଙ୍କ ସ୍ପେଶାଲ୍ ପ୍ଲେନ୍: କ’ଣ ରହିଛି ଏହାର ବିଶେଷତ୍ୱ ଆପଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ ।

278

କନକ ବ୍ୟୁରୋ: ଆମେରିକାରୁ ଆସିଲା ମୋଦିଙ୍କ ସୁରକ୍ଷାକବଚ । ଆମେରିକାରୁ ଆସି ଦିଲ୍ଲୀରେ ପହଂଚିଲା ସ୍ୱତନ୍ତ୍ର ଏୟାର ଇଣ୍ଡିଆ ୱାନ ବିମାନ । ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଏହି ସ୍ୱତନ୍ତ୍ର ବିମାନରେ ଗସ୍ତ କରିବେ । ଆସନ୍ତୁ ଜାଣିବା ୧୨୦୦ କୋଟି ଟଙ୍କା ଖର୍ଚ୍ଚରେ ନିର୍ମାଣ ହୋଇଥିବା ଏହି ବିମାନରେ କଣ ରହିଛି ସ୍ୱତନ୍ତ୍ରତା ।

ଏହି ଅତ୍ୟାଧୁନିକ ବିମାନରେ ଏଭଳି କିଛି ଉପକରଣର ବ୍ୟବହାର କରାଯାଇଛି, ଯାହାଦ୍ୱାରା ଆକାଶପଥରେ ଯେକୌଣସି କ୍ଷେପଣାସ୍ତ୍ର ଆକ୍ରମଣକୁ ପ୍ରତିହତ କରିପାରିବ । ଏହି ବିମାନକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏୟାରଫୋର୍ସ ୱାନ୍ ଭଳି ଢାଂଚାରେ ନିର୍ମିତ କରାଯାଇଛି । ଯାହା ଆକାଶପଥରେ ସମ୍ପୂର୍ଣ୍ଣ ଅଭେଦ୍ୟ ରହିବ । ଆକାଶପଥରେ ଯେକୌଣସି ଆକ୍ରମଣର ମୁକାବିଲା କରିବାରେ ସକ୍ଷମ ଏୟାର ଇଣ୍ଡିଆ ୱାନ୍ ।

ଏହି ବିମାନରେ ମଝି ଆକାଶରେ ହୋଇପାରିବ ଅଡିଓ ଓ ଭିଡିଓ ମାଧ୍ୟମରେ ଯୋଗାଯୋଗ । ତେବେ ବିନା ହ୍ୟାକିଂରେ ମଝି ଆକାଶରେ ଅଡିଓ ଓ ଭିଡିଓ ମାଧ୍ୟମରେ ନିରବଚ୍ଛିନ ଯୋଗାଯୋଗ ହୋଇପାରିବ । ସ୍ୱତନ୍ତ୍ର ଅତ୍ୟାଧୁନିକ ଜ୍ଞାନକୌଶଳରେ ଏହି ବିମାନରେ ଯୋଗାଯୋଗ ବ୍ୟବସ୍ଥା କରାଯାଇଛି । ଯାହାକୁ ଟ୍ୟାପ କିମ୍ବା ହ୍ୟାକ କରିବା ଅସମ୍ଭବ ।

ଆମେରିକାରୁ ଆସିଥିବା ଏହି ଏୟାର ଇଣ୍ଡିଆ ବିମାନ ଆଜି ଦିଲ୍ଲୀର ଆର୍ନ୍ତଜାତୀୟ ବିମାନ ବନ୍ଦରରେ ଅବତରଣ କରିଛି । ଏହି ବିମାନରେ ଅଫିସ ରୁମ୍, ମିଟିଂ ରୁମ୍ ସହ ବିଭିନ୍ନ ପ୍ରକାରର ଅତ୍ୟାଧୁନିକ କମ୍ୟୁନିକେସନ ବ୍ୟବସ୍ଥା ରହିଛି । ଜରୁରୀକାଳୀନ ମେଡିକାଲ ସେବା ପାଇଁ ବିମାନ ଭିତରେ ଦୁଇଟି ଭିନ୍ନ ଭିନ୍ନ ସେକ୍ସନ ରହିଛି । ଭିଭିଆଇପିଙ୍କ ସୁରକ୍ଷା ପାଇଁ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ପ୍ରଣାଳୀ, ଆତ୍ମରକ୍ଷା କଠୋରୀ ମଧ୍ୟ ରହିଛି । ସବୁଠାରୁ ବଡ କଥା ହେଉଛି, ଥରେ ଇନ୍ଧନ ଭରିଲେ, ଏହି ବିମାନ ଆମେରିକାରୁ ଭାରତ ପର୍ଯ୍ୟନ୍ତ ଉଡାଣ ଭରିପାରିବ ।