ବଢୁଥିବା କରୋନା ସଂକ୍ରମଣ ମାମଲାରେ ଆସନ୍ତା ୮ ତାରିଖରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ନେଇପାରନ୍ତି ବଡ ନିଷ୍ପତ୍ତି

167

କନକ ବ୍ୟୁରୋ : ଦେଶରେ କରୋନା ସଂକ୍ରମଣ ଏବେ ଶୀର୍ଷ ସ୍ତରରେ ପହଂଚିଲାଣି । ଏହାକୁ ନେଇ ଆସନ୍ତା ୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବେ ବୋଲି ଜଣାପଡିଛି । ଏହି ଆଲୋଚନା ବେଳେ ଟିକାକରଣ ଉପରେ ଆଲୋଚନା ହୋଇପାରେ ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ସୂଚନା ଥାଉକି ଏପ୍ରିଲ ୪ ତାରିଖ ଦିନ କରୋନା ସଂକ୍ରମଣ ଉପରେ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଥିଲେ । ଏହି ବୈଠକରେ ପ୍ରଧାନମନ୍ତ୍ରୀ କହିଥିଲେ କି ବଢୁଥିବା ସଂକ୍ରମଣରୁ ମୁକୁଳିବାକୁ ରାଜ୍ୟମାନଙ୍କୁ କଡା ଓ ବ୍ୟାପକ ପଦକ୍ଷେପ ନେବାକୁ ପଡିବ । ଏହାସହ ସଂକ୍ରମଣ ହ୍ରାସ କରିବାକୁ ୫ ସୂତ୍ରୀ ରଣନୀତି (ଟେଷ୍ଟିଂ,ଟ୍ରେସିଂ,ଟ୍ରିଟମେଣ୍ଟ,କଟକଣା ଓ ଟିକାକରଣ) ଉପରେ ଫୋକସ କରିବାକୁ ପରାମର୍ଶ ଦେଇଥିଲେ ।

କହିରଖୁ କି ଗତ ୨୪ ଘଂଟାରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ସର୍ବୋଚ୍ଚ ସ୍ତରରେ ପହଂଚିଛି । ଦେଶରେ ଗତ ୨୪ ଘଂଟା ମଧ୍ୟରେ ୧,୦୩,୫୫୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନାର ଦ୍ୱିତୀୟ ଲହରରେ ମୃତକଙ୍କ ହାର ହ୍ରାସ ପାଇଥିଲେ ବି ସଂକ୍ରମଣ ବ୍ୟାପକ ହେଉଛି । ଏନେଇ ବିଭିନ୍ନ ରାଜ୍ୟ ମିନି କଣ୍ଟେନମେଣ୍ଟ ଜୋନ ଓ ପାକ୍ଷୀକ ଲକଡାଉନ୍ ଲଗାଇଛନ୍ତି ।