କରୋନା ସ୍ଥିତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ । କ୍ୟାବିନେଟ୍ ସଚିବ ଓ ସ୍ୱାସ୍ଥ୍ୟ ସଚିବ ବି ଉପସ୍ଥିତ

127

କନକ ବ୍ୟୁରୋ : କରୋନା ସ୍ଥିତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଉଚ୍ଚସ୍ତରୀୟ ବୈଠକ କରୁଛନ୍ତି । ଏହି ବୈଠକରେ କରୋନାର ସ୍ଥିତି ଓ ଟିକାକରଣ ଉପରେ ଚର୍ଚ୍ଚା ହେଉଛି । କ୍ୟାବିନେଟ୍ ସଚିବ, ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ, ସ୍ୱାସ୍ଥ୍ୟ ସଚିବ ଓ ଡାକ୍ତର ବିନୋଦ ପାଲ ଏହି ବୈଠକରେ ଉପସ୍ଥିତ ଅଛନ୍ତି ।

କହିରଖୁ କି, ଭାରତରେ ରବିବାର ଦିନ କରୋନା ସଂକ୍ରମଣର ୯୩,୨୪୯ ନୂଆ ମାମଲା ସାମ୍ନାକୁ ଆସିଛି । ଏହା ଚଳିତ ବର୍ଷ ଗୋଟିଏ ଦିନରେ ସର୍ବାଧିକ ସଂକ୍ରମଣ ସଂଖ୍ୟା । ଏହାକୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧,୨୪,୮୫,୫୦୯ ରେ ପହଂଚିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ ୨୦୨୦ ସେପ୍ଟେମ୍ବର ୧୮ ତାରିଖ ପରେ ଏହା ଦେଶର ସର୍ବାଧିକ ସଂକମଣ । ଏହି ଦିନରେ ଦେଶରେ ୯୩,୩୩୭ ମାମଲା ସାମ୍ନାକୁ ଆସିଥିଲା । ସୂଚନା ମୁତାବକ ଗତ ୨୪ ଘଂଟାରେ କରୋନା ସଂକ୍ରମଣରେ ୫୧୩ ଜଣଙ୍କର ଜୀବନ ଯାଇଛି । ଏହାକୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମଣରେ ମୃତକଙ୍କ ସଂଖ୍ୟାେ ୧, ୬୪, ୩୨୩ କୁ ବୃଦ୍ଧି ପାଇଛି ।

ମନ୍ତ୍ରଣାଳୟର ସୂଚନା ମୁତାବକ ଲଗାତର ଭାବେ ୨୫ ଦିନ ଧରି ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏବେ ବି ଦେଶରେ ୬,୯୧,୫୯୭ ଜଣ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି । ଏହା ମୋଟ ସଂକ୍ରମଣର ୫.୫୪ ପ୍ରତିଶତ । ଏହାସହ ମୋଟ ସଂକ୍ରମଣର ୯୩.୧୪ ପ୍ରତିଶତ ସୁସ୍ଥ ହୋଇଛନ୍ତି ।