କନକ ବ୍ୟୁରୋ: ପରୀକ୍ଷାକୁ ନେଇ ଚାପଗ୍ରସ୍ତ ନହୋଇ, କେମିତି ଭଲ କରିପାରିବେ ସେଥିପାଇଁ ପରୀକ୍ଷାର୍ଥୀଙ୍କୁ ଟିପ୍ସ ଦେଇଛନ୍ତି ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦିଲ୍ଲୀର ତାଲକଟୋରା ଷ୍ଟାଡିୟମରେ ଆଯୋଜିତ ସଭାରୁ ପରୀକ୍ଷା ପେ ଚର୍ଚ୍ଚାରେ ସାମିଲ ହୋଇ, ଦେଶର ବିଭିନ୍ନ ପ୍ରାନ୍ତରୁ ଯୋଡି ହୋଇଥିବା ଛାତ୍ରଛାତ୍ରୀଙ୍କ ପ୍ରଶ୍ନ ଶୁଣିବା ସହ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଓ ସେମାନଙ୍କ ଭିତରେ ସୃଷ୍ଟି ହେଉଥିବା ଦ୍ୱନ୍ଦ୍ୱର କେମିତି ସମାଧାନ କରିପାରିବେ ସେଥିପାଇଁ ମାର୍ଗଦର୍ଶନ କରିଛନ୍ତି । ପିଲାଙ୍କ ପ୍ରଶ୍ନ ଥିଲା - ପରୀକ୍ଷାରେ ଭଲ କରିବା ପାଇଁ ହାର୍ଡୱାର୍କ ଏବଂ ସ୍ମାର୍ଟୱାର୍କ ଭିତରୁ କେଉଁଟି ଅଧିକ ଗୁରୁତ୍ୱପୂର୍ଣ୍ଣ?

Advertisment

ମୋଦୀ ଉତ୍ତର ଦେଇ କହିଥିଲେ, ଉଭୟରେ ଥିବା ଫରକ ବୁଝି, ଆବଶ୍ୟକ ଫଳାଫଳ ହାସଲ ପାଇଁ ଉଦ୍ୟମ କରିବା ଉଚିତ୍ । ଶୋଷିଲା କାଉ ଓ ମାଠିଆରେ ଗୋଡି ପକାଇବା ଗପର ଦୃଷ୍ଟାନ୍ତ ଦେଇ କହିଥିଲେ, ସ୍ମାର୍ଟ ହୋଇ ହାର୍ଡ ୱାର୍କ କର, ସଫଳତା ମିଳିବ । ପରୀକ୍ଷାରେ ଭଲ କରିବା ପାଇଁ ପ୍ରଧାନମନ୍ତ୍ରୀ ଟେକ୍ନୋଲୋଜି ଓ ଗେଜେଟର ଗୁଲାମ ନବନିବାକୁ ପରାମର୍ଶ ଦେଇଛନ୍ତି । କହିଛନ୍ତି,
- ଟେକ୍ନୋଲୋଜି ବା ଗେଜେଟ୍ ପଛରେ ଦୌଡ଼ନ୍ତୁ ନାହିଁ
- ନିଜ ଆବଶ୍ୟକତା ଅନୁସାରେ ଗେଜେଟ୍ର ବ୍ୟବହାର କରନ୍ତୁ
- ଡିଜିଟାଲ ଉପବାସ କରନ୍ତୁ
- ଘର ଭିତରେ ନୋ ଟେକ୍ନୋଲୋଜି ଜୋନ୍ ଆବଶ୍ୟକ
- ପରୀକ୍ଷା ନୁହେଁ, ଟାଇମ୍ ମ୍ୟାନେଜମେଣ୍ଟ ପ୍ରତି ଦରକାର ସଚେତନତା
- ମା’ଙ୍କଠାରୁ ଟାଇମ୍ ମ୍ୟାନେଜମେଣ୍ଟ ଶିଖିବା ଦରକାର
- ସମୟର ସଦୂପଯୋଗ କଲେ ସଫଳତା ନିଶ୍ଚୟ ମିଳିବ

ତେବେ ସବୁଠୁ ରୋଚକ ପ୍ରଶ୍ନ କରିଥିଲେ ଓଡିଶାର ଛାତ୍ର ନ୍ମୟ ବିଶ୍ୱାଳ । ପଚାରିଥିଲେ, ଆଜିକାଲି କପି ଏକ ମାରାତ୍ମକ ବ୍ୟାଧି ଭଳି ମାଡିଯାଉଛି । ଏହାକୁ କେମିତି ରୋକି ହେବ? ପ୍ରଧାନମନ୍ତ୍ରୀ ତନ୍ମୟଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ସଫଳତା ପାଇଁ ସର୍ଟକଟ ଆପଣାଇବା ଉଚିତ ନୁହେଁ । କଠିନ ପରିଶ୍ରମ କଲେ ଫଳ ମିଳିଥାଏ ।

ଏଥିସହ ପରୀକ୍ଷାରେ ଭଲ ନମ୍ବର ପାଇଁ ପିଲାମାନଙ୍କ ଉପରେ ଅଯଥା ଚାପ ନପକାଇବାକୁ ଅଭିଭାବକମାନଙ୍କୁ ପରାମର୍ଶ ଦେଇଛନ୍ତି । କହିଛନ୍ତି, ପିଲାମାନଙ୍କୁ ଚାପଗସ୍ତ ନକରିବାକୁ ମୁଁ ପିତାମାତାଙ୍କୁ ଅନୁରୋଧ କରୁଛି । କିନ୍ତୁ ଛାତ୍ରଛାତ୍ର ସେମାନଙ୍କ ସାମର୍ଥ୍ୟକୁ ହେୟଜ୍ଞାନ ନକରିବା ଉଚିତ୍ ।

ପରୀକ୍ଷା ପେ ଚର୍ଚ୍ଚାର ଷଷ୍ଠ ସଂସ୍କରଣରେ ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାପରେ ଆରମ୍ଭ ହୋଇଥିଲା ଆଲୋଚନା । ଏହି କାର୍ଯ୍ୟକ୍ରମରେ ଯୋଡି ହୋଇଥିଲେ ଦେଶର ବିଭିନ୍ନ ରାଜ୍ୟର ପ୍ରାୟ ୩୮ଲକ୍ଷ ଶିକ୍ଷାର୍ଥୀ ।