କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବଡ଼ ଧରଣର ଗଡ଼ବଡ଼ । ଏହି ଅଭିଯୋଗ କୌଣସି ଉପାନ୍ତ ଅଂଚଳରୁ ଆସିନାହିଁ, ଆସିଛି ପ୍ରଶାସନର ନାକ ତଳେ ଥିବା ଖୋର୍ଦ୍ଧା ଜିଲ୍ଲାରୁ । ଆରଟିଆଇ ତଥ୍ୟରୁ ଜଣାପଡ଼ିଛି ଯେ ମୃତ ଲୋକଙ୍କ ନାଁରେ ବି ଘର ଆବଂଟନ ହୋଇଛି । ସରକାରୀ ଚାକିରିଆଙ୍କ ଭଳି ସ୍ୱଚ୍ଛଳ ବର୍ଗଙ୍କ ହାତରେ ବି ଟେକି ଦିଆଯାଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର । ଗୋଟିଏ ନୁହେଁ, ଦୁଇ-ଦୁଇଟି ଘର ପ୍ରଦାନ କରାଯାଇଥିବା ଭଳି ସାଂଘାତିକ ଘୋଟାଲା ସାମନାକୁ ଆସିଛି ।
ସାମନାକୁ ଆସିଛି, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ସାଂଘାତିକ ଦୁର୍ନୀତି । ଆରଟିଆଇରୁ ଆସିଛି ସମସ୍ତଙ୍କୁ ଚମକାଇ ଦେବା ଭଳି ତଥ୍ୟ । ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଗଡ଼ମାଣତ୍ରୀ ପଂଚାୟତରୁ ଏପରି କେଳେଙ୍କାରୀ ସାମନାକୁ ଆସିଛି । ଗରିବ ଲୋକ ଘର ଭଙ୍ଗା ଘରେ ଦିନ କାଟୁଥିବା ବେଳେ ମୃତ ଲୋକଙ୍କ ନାଁରେ ବି ଦିଆଯାଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ।
ସ୍ୱଚ୍ଛଳ ବର୍ଗ ଦୁଇ ଦୁଇଟା ଘର ହାତେଇଥିବା ବେଳେ ବାଦ ପଡ଼ିଛନ୍ତି ଯୋଗ୍ୟ ହିତାଧିକାରୀ । ଗ୍ରାମର ପ୍ରଭାକର ନାୟକ, ରାମଚନ୍ଦ୍ର କାଣ୍ଡି, ରମେଶ ନାୟକ, ଚଂଚଳା ମହାରଣା, କୁନିଲତା ସାହୁ ଭଳି ଆନେକଙ୍କୁ ମିଳିଛି ୨ଟି ଲେଖାଏଁ ଘର । ପୁଣି କିଛି ଲୋକ ମିଛ ପଟା ଦେଖାଇ ସରକାରୀ ଜାଗାରେ ଘର କରି ହାତେଇଛନ୍ତି ଟଙ୍କା । ଦୀନବନ୍ଧୁ ନାୟକ ନାମକ ଜଣେ ସରକାରୀ ଚାକିରିଆଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମିଳିଛି । ଏପରି କରି ସବୁ ନିୟମକୁ ଦଳି ମକଚି ଦେଇଛନ୍ତି ସରକାରୀ ବାବୁମାନେ ।
ଏ ନେଇ କିଛି ଲୋକ ନ୍ୟାୟାଳୟର ଦ୍ୱାରସ୍ଥ ହେବା ପରେ ୨ ଜଣଙ୍କୁ ଘର ଦେଇ ମୁହଁ ବନ୍ଦ କରିବାକୁ ଉଦ୍ୟମ କରିଛି ପ୍ରଶାସନ । ଏ ସଂପର୍କରେ ପଂଚାୟତ ଅଧିକାରୀ, ବିଡିଓଙ୍କ ପ୍ରତିକ୍ରିୟା ନେବାକୁ ଉଦ୍ୟମ କରାଯାଇଥିଲେ ବି ସେମାନଙ୍କ ସହ ଯୋଗାଯୋଗ ହୋଇପାରିନାହିଁ । ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଏ ସଂପର୍କରେ ପଚାରିବାକୁ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଯୋଗାଯୋଗ କରିବା ପାଇଁ କହି ନିଜ ମୁଣ୍ଡରୁ ଦାୟିତ୍ୱ ଖସାଇ ଦେଇଛନ୍ତି । ସେପଟେ ଏହାକୁ ଗୁରୁତର ସହ ନେଇ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଅପିଲ୍ କରିଛନ୍ତିି ସାଂସଦ ଅପରାଜିତା ଷଡ଼ଙ୍ଗୀ । ପ୍ରଶାସନରେ ସ୍ୱଚ୍ଛତା ଆଣିବା ପାଇଁ ୫ଟି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ସରକାର ଜୋର ଦେଉଥିବା ବେଳେ ଏହି ଘଟଣାରେ କ’ଣ କାର୍ଯ୍ୟାନୁଷ୍ଠାନ ହେଉଛି, ପଂଚାୟତ ଅଫିସରେ ହେଉଥିବା ଦୁର୍ନୀତି ଉପରେ କିପରି ସରକାର ରୋକ ଲଗାଉଛନ୍ତି, ତାହା ଉପରେ ରହିଛି ସମସ୍ତଙ୍କ ନଜର ।
Follow Us