ତାଲିକା ପ୍ରସ୍ତୁତ କରିଥିଲା କିଏ? କୋଠା ମାଲିକଙ୍କୁ ଯୋଗ୍ୟ କଲ ଆଉ ଝୁମ୍ପୁଡି ମାଲିକଙ୍କୁ ଅଯୋଗ୍ୟ !! ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେଳେଙ୍କାରୀ

158

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା। ଯୋଗ୍ୟଙ୍କୁ ବାଦ୍‌ଦେଇ ଅଯୋଗ୍ୟଙ୍କୁ ଆବାସ ତାଲିକାରେ ସ୍ଥାନ ଦିଆଯାଇଛି। ପୂର୍ବରୁ ଆବାସ ପାଇଥିବା, ଦୁଇ ମହଲା କୋଠାଥିବା ବ୍ୟକ୍ତିଙ୍କୁ ତାଲିକାରେ ସାମିଲ କରାଯାଉଛି। ଏଭଳି କି ଦୁଇମହଲା କୋଠା ଥିବା ସମିତିସଭ୍ୟାଙ୍କ ସ୍ବାମୀ ମଧ୍ୟ ଆବାସ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ପ୍ରଶାସନର ଏଭଳି ଚଞ୍ଚକତାପୂର୍ଣ୍ଣ କାର୍ଯ୍ୟ ନେଇ ପ୍ରତିବାଦର ସ୍ବର ଉଠିଛି।

ଯାଜପୁର ଜିଲ୍ଲାର  ଦାନଗଦୀ ବ୍ଲକ୍‌ ରାଛିପୁର ପଞ୍ଚାୟତରେ ବହୁ ଯୋଗ୍ୟ ହିତାଧିକାରୀ ଆବାସରୁ ବଞ୍ଚିତ ହୋଇଥିବା ବେଳେ ଅନେକ ଅଯୋଗ୍ୟଙ୍କୁ ଏସ୍‌ଇସିସି ତାଲିକାରେ ସ୍ଥାନ ମିଳିଛି। ରାଛିପୁର ପଞ୍ଚାୟତ ଦାନିଆବର ଗ୍ରାମର ସୁଭଦ୍ରା ଦଳେଇ, କଷ୍ଟି ଦଳେଇ, ନାରାୟଣ ଦଳେଇ, ଚଗଲା ଦଳେଇ ଆବାସ ପାଇବାକୁ ହକ୍‌ଦାର ଥିବା ବେଳେ ସର୍ଭେ ବେଳେ ଏମାନଙ୍କୁ ବାଦ୍‌ ଦିଆଯାଇଥିବା ଅଭିଯୋଗ ହୋଇଛି। ଗ୍ରାମର ନିରଂଜନ ଦଳେଇ, ଜଗବନ୍ଧୁ ଦଳେଇ ଦୁଇଭାଇ। ଏମାନଙ୍କ କୋଠାଘର ଥିବା ବେଳେ ଉଭୟଙ୍କୁ ଆବାସ ପ୍ରଦାନ ପାଇଁ ଚୟନ କରାଯାଇଛି। ତାଲିକାରେ ରହିଥିବା ଜୟନ୍ତ ଦଳେଇ ଅବିବାହିତ। ତାଙ୍କ ବାପା ରାମ ଦଳେଇଙ୍କୁ ପୂର୍ବରୁ ଆବାସ ଯୋଜନାରେ ଘର ମିଳିଛି। ଏବେ ପୁଅ ଜୟନ୍ତଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି।

ଏହି ଗ୍ରାମର ଅନାମ ଦଳେଇ ପୂର୍ବରୁ ଆବାସ ଯୋଜାନରେ ଘର ପାଇଥିବା ବେଳେ ଏବେ ତାଙ୍କ ସ୍ତ୍ରୀଙ୍କୁ ଆବାସ ଯୋଗାଇ ଦେବା ପାଇଁ ତାଲିକାରେ ନାମ ଯୋଡ଼ାଯାଇଛି। ସେହିପରି ରାଛିପୁର ଗ୍ରାମର ସତ୍ୟ ପ୍ରକାଶ ପରିଡ଼ା ଏବଂ ବଡ଼ପୁଅ ପୂର୍ବରୁ ଆବାସ ଯୋଜନାରେ ଘର ପାଇଥିବା ବେଳେ ଏବେ ସାନ ପୁଅକୁ ଘର ଯୋଗାଇ ଦେବାକୁ ଯୋଗ୍ୟ ବିବେଚିତ କରାଯାଇଛି। ଏଥିସହ ସନାତନ ସେଠୀ ପୂର୍ବରୁ ଆବାସ ଯୋଜନାରେ ସାମିଲ ହୋଇଥିବା ବେଳେ ଏବେ ପୁଣି ତାଙ୍କ ନାମକୁ ତାଲିକାଭୁକ୍ତ କରାଯାଇଛି। ସେହିପରି ପଞ୍ଚାୟତର ସମିତିସଭ୍ୟା କଲ୍ୟାଣୀ ସାହୁଙ୍କ ଦୁଇ ମହଲା କୋଠା ଘର ଥିବାବେଳେ ତାଙ୍କ ସ୍ୱାମୀ ମନୋରଂଜନ ସାହୁଙ୍କୁ ଆବାସ ଯୋଜନାର ହିତାଧିକାରୀ ରୂପେ ଚିହ୍ନଟ କରାଯାଇଛି। ପଞ୍ଚାୟତରେ ଅନେକ ବ୍ୟକ୍ତି ଏସ୍‌ଇସିସି ତାଲିକାରେ ଥାଇ ଜିଓଟ୍ୟାଗ୍‌ ହୋଇଥିବା ବେଳେ ସେମାନଙ୍କ ନାମକୁ ଏବେ ବାଦ୍‌ ଦିଆଯାଇ ନୂତନ ତାଲିକା ପ୍ରସ୍ତୁତ କରାଯାଇଥିବା ଅଭିଯୋଗ ହୋଇଛି।

ବ୍ଲକର କେବଳ ରାଛିପୁର ପଞ୍ଚାୟତରେ ନୁହେଁ ସମସ୍ତ୨୩ଟି ପଞ୍ଚାୟତରେଏଭଳି ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି। ଦାନଗଦୀ ବ୍ଲକ୍‌ର ହିତାଧିକାରୀ ଚୟନ କରିବାକୁ ସୁକିନ୍ଦା ବ୍ଲକ୍‌ରୁ ସର୍ବେକ୍ଷଣ ଦଳ ଆସିଥିବା ବେଳେ କିଭଳି ଏସ୍‌ଇସିସି ତାଲିକାରେ ନାଁ ନଥିବା ବ୍ୟକ୍ତିଙ୍କୁ ସାମିଲ କରାଗଲା, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ସଂପର୍କରେ ବିଡିଓ ମଣିପ୍ରସାଦ ମିଶ୍ରଙ୍କ ମତାମତ ନେବାକୁ ଫୋନ କରାଯାଇଥିଲେ ହେଁ ସେ ଉତ୍ତର ଦେଇନଥିଲେ। ହିତାଧିକାରୀ ତାଲିକାରେ ଥିବା ସମିତି ସଭ୍ୟାଙ୍କ ସ୍ବାମୀ ମନୋରଂଜନ ସାହୁଙ୍କୁ ପଚରାଯିବାରେ ମୋ ନାମ କିଭଳି ସ୍ଥାନ ପାଇଲା ଜାଣିନାହିଁ। ଆବାସ ପାଇଁ ଆବେଦନ କରିନଥିଲି। ଜିଓଟ୍ୟାଗ୍‌ ହୋଇନଥିଲା। ତଥାପି ତାଲିକାରେ କିଭଳି ନାମ ରହିଲା ସେ ସଂପର୍କରେ ବିଡିଓଙ୍କୁ ଜଣାଇବି ବୋଲି ଶ୍ରୀ ସାହୁ କହିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଅନିୟମିତତାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।