ଇଞ୍ଜିନିୟରଙ୍କ ଅଜାଣତରେ ଆବାସ ଘର । ଥିଲାବାଲାଙ୍କ ନାଁରେ ଘର କାର୍ଯ୍ୟାଦେଶ ଆଣି ଟଙ୍କା ହଡପ କରୁଛନ୍ତି ଅସାଧୁ ଅଧିକାରୀ ।

208

କନକ ବ୍ୟୁରୋ: ଗରିବ ଲୋକମାନଙ୍କ ପାଇଁ ବିଜୁ ପକ୍କା ଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା । କୁଡିଆରେ ରହୁଥିବା ଲୋକଙ୍କ ମୁଣ୍ଡ ଉପରେ ଛାତ ଯୋଗାଇବା ପାଇଁ ଯୋଜନା । ହେଲେ ପ୍ରକୃତ ହିତାଧୀକାରି ଘର ପାଇବାରୁ ବଂଚିତ ହେଉଥିବା ବେଳେ ଥିଲାବାଲାଙ୍କ ନାଁରେ ଘର କାର୍ଯ୍ୟାଦେଶ ଆଣି ଟଙ୍କା ହଡପ କରି ନେଉଛନ୍ତି କିଛି ଅସାଧୁ ଅଧିକାରୀ । କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଅଂଚଳରୁ ଆସିଛି ଏମିତି ଏକ ଖବର ।

କେନ୍ଦ୍ରାପଡା ଆଳି ବ୍ଲକ ଅନ୍ତର୍ଗତ ବାଟିପଡା ଗାଁର ସୁବ୍ରତ ପରିଡା । ଏକ ସପ୍ଟଓୟାର କମ୍ପାନୀରେ କାମ କରନ୍ତି ଓ ଭାରତ ସରକାରଙ୍କୁ ଆୟ କର ଦେଉଛନ୍ତି । ସୁବ୍ରତଙ୍କର ୨ ମହଲା କୋଠା ଘର ଥିବା ବେଳେ ୨୦୧୮ ଓ ୧୯ ଆର୍ଥିକ ବର୍ଷରେ ତାଙ୍କ ନାଁରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ମଂଜୁର ହୋଇଛି । ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ତାଙ୍କ ଅଜାଣତରେ ଘର କାମ ଶେଷ ହୋଇଥିବା ଦର୍ଶାଇ ସଂପୂର୍ଣ୍ଣ ଟଙ୍କା ଉଠି ସାରିଛି । ସରକାରୀ ୱେବସାଇଟ୍ ଡବ୍ଲୁ.ଡବ୍ଲୁ.ଡବ୍ଲୁ.ଆର.ଏଚ.ଓଡିଶା.ଜିଓଭି.ଇନ ସାଇଟରୁ ଏହା ଜାଣିବା ପରେ ବିଡିଓଙ୍କ ପାଖରେ ଅଭିଯୋଗ କରିଛନ୍ତି ସୁବ୍ରତ ।

ସେହିଭଳି ମହାଦେଇପଟଣା ଗାଁର ଆଉ ଜଣେ ବିଧବା ମହିଳା ସେବତି ସାହୁ ତାଙ୍କର ଘର ସପୂର୍ଣ ଭାଙ୍ଗି ମାଟିରେ ମିଶି ଯାଇଛି । ସେ ବଡ ପୁଅଙ୍କ ଶ୍ୱଶୁର ଘରେ ରହୁଥିବା ବେଳେ ତାଙ୍କ ନାଁରେ ୨୦୧୯-୨୦ ଆର୍ଥିକ ବର୍ଷରେ ଘର ମଂଜୁର ହୋଇଛି । ଖିଲି ଏତିକି ନୁହେଁ ନିର୍ମାଣ ସରିଥିବା ଦର୍ଶାଇ ୧ ଲକ୍ଷ ୨୦ ହଜାର ଟଙ୍କା ଚଳୁ କରାଯାଇଛି ।

କେବଳ ସୁବ୍ରତ କି ସେବତୀ ନୁହଁନ୍ତି ଏମିତି ଅନେକ ଲୋକଙ୍କ ନାଁରେ ସରକାରୀ ଘର ହଡପ କରାଯାଇଛି । ଏଭଳି ଦୁର୍ନୀତିର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି ।