ଯାଜପୁର ରାହାଶୋଇ ଗାଁରେ ଆବାସ ଯୋଜନାରେ ବଡ ଦୁର୍ନୀତି । ଥିଲାବାଲା ହାତେଇଛନ୍ତି ପକ୍କାଘର । ସରପଂଚଙ୍କ ନାବାଳକ ପୁଅ ନାଁରେ ବି ଘର

ପ୍ରକୃତ ହିତାଧିକାରୀ ଆଣିଲେ ଅଭିଯୋଗ: ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ତଦନ୍ତ ପରେ ହେବ କାର୍ଯ୍ୟାନୁଷ୍ଠାନ

220

କନକ ବ୍ୟୁରୋ: ଯାଜପୁରରେ ଆବାସ ଯୋଜନାରେ ବଡ ଦୁର୍ନୀତି । ସରପଂଚଙ୍କ ନାବାଳକ ପୁଅ  ନାଁରେ ବି ଦିଆଯାଇଛି ଆବାସ । ଥିଲା ବାଲାଙ୍କ ନାମରେ ବି ଆସିିଛି ଆବାସ ଘର । ଏସବୁ ଭିତରେ କିନ୍ତୁ ଯାଜପୁର ଦଶରଥପୁର ବ୍ଲକରେ ଯୋଗ୍ୟ ହିତାଧିକାରୀ ନିରାଶ ଆବାସ ଯୋଜନାରେ ଘର ନପାଇ ନିରାଶ ହୋଇଛନ୍ତି । ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି ତଦନ୍ତ ପରେ ନିଆଯିବ ପଦକ୍ଷେପ ।

ଆବାସ ଯୋଜନାରେ ଦୁର୍ନୀତି । ସରପଂଚଙ୍କ ନାବାଳକ ପୁଅକୁ ମିଳିଛି ଘର । କେବଳ ସେତିକି ନୁହଁ ଚାକିରିଆ ବି ପାଇଛନ୍ତି ଆବାସ ଯୋଜନାରେ ପକ୍କା ଘର । ଏଭଳି ଅଭିଯୋଗ ଆସିଛି ଦଶରଥପୁର ବ୍ଲକ ରାହାସୋଇ ଗାଁରୁ । ସରପଂଚଙ୍କ ନାବାଳକ ପୁଅ, ଗୋଟିଏ ପରିବାରରୁ ୩ ଟି  ଜଣଙ୍କ ନାମରେ ଏବଂ  ଲୋକ ପାଇଲଟ ଭାବେ ସରକାରୀ ଚାକିରି କରିଥିବା ପରିବାର ସଦସ୍ୟଙ୍କ ନାମ ଆବାସ ପାଇବାର ଯୋଗ୍ୟ ତାଲିକାରେ ସାମିଲ ହୋଇଛି ।  କିନ୍ତୁ ପ୍ରକୃତ ହିତାଧିକାରୀମାନଙ୍କୁ ଏଥିରୁ ବାଦ୍ କରାଯାଇଛି ।

ରାହାସୋଇ ଗାଁଁର ଅଧିକାଂଶ ପରିବାର ଶ୍ରମିକ ଶ୍ରେଣୀର । ପରିବାର ସହ ମୁଣ୍ଡ ଗୁଂଜିଛନ୍ତି ଭଙ୍ଗା ଚାଳ ଛପର ଘରେ । ବାରମ୍ବାର ଲୋକ ପ୍ରତିନିଧିଙ୍କୁ ଭେଟି ଘର ପାଇଁ ଅନୁରୋଧ କରୁଥିଲେ ମଧ୍ୟ କେବଳ ମିଳୁଛି ପ୍ରତିଶ୍ରୃତି । ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବଂଚିତ ହୋଇଥିବା ଘଟଣା ଜିଲ୍ଲା ପ୍ରଶାସନର ନଜରକୁ ଆଣିଥିଲା କନକନ୍ୟୁଜ । ଜିଲ୍ଲାପାଳ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।  ସରକାର ଗରିବ ଅସହାୟ ଲୋକଙ୍କୁ ପକ୍କା ଘର ଯୋଗାଇ ଦେବାକୁ କରୁଛନ୍ତି ଯୋଜନା । ହେଲେ ଦଶରଥପୁର ବ୍ଲକରେ ଏସବୁ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ପହଁଚିବା ଆଗରୁ ହୋଇଯାଇଛି ବାଟମାରଣା ।