କାଲି ପୁଣି ପଶ୍ଚିମବଙ୍ଗ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହୁଗୁଳି ଠାରେ କରିବେ ରାଲି , ଗୋଟିଏ ମାସରେ ମୋଦିଙ୍କ ତୃତୀୟଥର ପଶ୍ଚିମବଙ୍ଗ ଗସ୍ତ

92

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ସେମାନଙ୍କର ପ୍ରଚାର ଅଭିଯାନକୁ ଜୋରଦାର କରିବାରେ ଲାଗିଛନ୍ତି । ଗୋଟିଏ ପଟେ କ୍ଷମତାରେ ଥିବା ତୃଣମୂଳ କଂଗ୍ରେସ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ରାଲି ଓ ସଭା କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ମାସରେ ତୃତୀୟ ଥର ପାଇଁ ଆସନ୍ତାକାଲି ପଶ୍ଚିମବଙ୍ଗ ଗସ୍ତ କରି ଦଳୀୟ କର୍ମୀଙ୍କ ଏକଜୁଟ୍ କରିବାକୁ ଚେଷ୍ଟା କରିବେ ।

ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତବେଳେ ହୁଗୁଳି ଠାରେ ଏକ ରାଲି ଓ ଜନସଭା ଅନୁଷ୍ଠିତ ହେବ ବୋଲି ସୂଚନା  ମିଳିଛି । ସେଠାରେ ପ୍ରସ୍ତୁତି ବି ଜୋରଦାର କରାଯାଉଛି । ଜାନୁଆରୀ ୨୩ ତାରିଖରେ ବି ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ଗସ୍ତ କରିଥିଲେ । ସେହି ସମୟରେ ସେ ନେତାଜୀ ସୁଭାଷଚନ୍ଦ୍ର ବୋସଙ୍କର ୧୨୫ ତମ ଜୟନ୍ତି ସମାରୋହରେ ଯୋଗ ଦେଇଥିଲେ ।

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗରେ ପହଂଚିବା ପରେ ରାଲି ଓ ସଭା ସହିତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ ବୋଲି ଜଣାପଡିଛି । ଏହା ମଧ୍ୟରେ ରହିଛି ବାରାନଗର ଷ୍ଟେସନ ଠାରୁ ନବାପଡା ଷ୍ଟେସନ ପର୍ଯ୍ୟନ୍ତ ମେଟ୍ରୋ ରେଳ ପ୍ରକଳ୍ପର ଶୁଭାରମ୍ଭ । ଏନେଇ ନିଜେ ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି କି ନବାପଡାରୁ ଦକ୍ଷିଣେଶ୍ୱର ଯାଏ ମେଟ୍ରୋ ରେଳସେବାର ଶୁଭାରମ୍ଭ କରାଯିବ ।