କରୋନା ଟିକା ପ୍ରସ୍ତୁତିର ତଦାରଖ କରିବେ ପ୍ରଧାନମନ୍ତ୍ରୀ । ୨୮ ନଭେମ୍ବର ଦିନ ଯିବେ ସିରମ୍ ଇନଷ୍ଟିଚ୍ୟୁଟ୍ । ଦ୍ରୁତ ପ୍ରସ୍ତୁତିପଥେ ଦେଶୀ ଟିକା କୋବିଶିଲ୍ଡ

279

କନକ ବ୍ୟୁରୋ : ଦେଶବାସୀ କରୋନା ଟିକାକୁ ଅପେକ୍ଷା କରିଛନ୍ତି । ଏହାକୁ ନଜରରେ ରଖି ସିରମ୍ ଇନଷ୍ଟିଚ୍ୟୁଟ୍ କୋବିସିଲ୍ଡ ଟିକା ପ୍ରସ୍ତୁତକୁ ଜୋରଦାର କରିଛି । ସିରମ୍ ଇନଷ୍ଟିଚ୍ୟୁଟ୍ ଯେଉଁ ଟିକା ପ୍ରସ୍ତୁତ କରୁଛି ତାହାର ତଦାରଖ କରିବାକୁ ୨୮ ନଭେମ୍ବର ଦିନ ସେଠାରେ ପହଂଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
କହିରଖୁ କି ସିରମ୍ ଇନଷ୍ଟିଚ୍ୟୁଟ୍ କୋବାଶିଲ୍ଡ ନାମକ ଏକ କରୋନା ଟିକା ପ୍ରସ୍ତୁତ କରୁଛି । ବର୍ତମାନ ଏହି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଚାଲିଛି । ଅନ୍ୟପଟେ ଏହି ଟିକା ପ୍ରସ୍ତୁତ କରୁଥିବା ଅକ୍ସଫୋର୍ଡ ୟୁନିଭରସିଟି ଓ ଏଷ୍ଟେଜିନା ଏହାକୁ ବିଦେଶରେ ପରୀକ୍ଷଣ ସମାପ୍ତ କରିଛନ୍ତି । ଏହି ଟିକାକୁ ଅନୁମତି ଦେବାକୁ ସେମାନେ ୟୁ.କେ ନିକଟରେ ଏକ ପ୍ରପୋଜାଲ ରଖିଛନ୍ତି ।
ସିରମ୍ ଇନଷ୍ଟିଚ୍ୟୁଟ୍ ଟିକା ପ୍ରସ୍ତୁତିକୁ ଜୋରଦାର କରିଛି । ଲକ୍ଷ ଲକ୍ଷ ଟିକା ବି ପ୍ରସ୍ତୁତ ହୋଇ ରହିଛି । ଅନୁମତି ମିଳିଲେ ଏହି ଟିକାର ବଜାର ପ୍ରବେଶ ହେବ । ଏହି ପ୍ରସ୍ତୁତିକୁ ଦେଖିବାକୁ ପୁନେ ଠାରେ ଥିବା ସିରମ ଇନଷ୍ଟିଚ୍ୟୁଟରେ ୨୮ ନଭେମ୍ବର ଦିନ ପହଂଚିବେ ପ୍ରଧାନମନ୍ତ୍ରୀ । ଆଶା କରାଯାଉଛି ଯେ ସେହିଦିନ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ପାଇଁ କିଛି ଘୋଷଣା କରିପାରନ୍ତି !
ଏହାପୂର୍ବରୁ କରୋନା ସଂକଟ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮ ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହିତ ଭର୍ଚୁଆଲ ବୈଠକ କରିଥିଲେ । ଏଥିରେ ବଢୁଥିବା କରୋନା ସଂକ୍ରମଣ ଓ ଟିକାକୁ ନେଇ ବେସ୍ ଆଲୋଚନା ବି ହୋଇଥିଲା । ବୈଠକରେ ପ୍ରଧାନମନ୍ତ୍ରୀ କହିଥିଲେ କି ଯଦି କରୋନା ମହାମାରୀର ସମାଧାନ ବାବଦରେ କୌଣସି ମୁଖ୍ୟମନ୍ତ୍ରୀଙ୍କ ପାଖରେ କିଛି ସମାଧାନର ରାସ୍ତାଥାଏ ସେ ତାକୁ ଚିଠି ମାଧ୍ୟମରେ ଜଣାଇପାରିବେ ।
କରେନା ଟିକା ନେଇ ପ୍ରଧାନମନ୍ତ୍ରୀ କହିଥିଲେ କି କିଛି ଲୋକ ଏହି ମାମଲାକୁ ନେଇ ରାଜନୀତି କରୁଛନ୍ତି । ରାଜନୀତି କରିବା ଦ୍ୱାରା ଏହାର ସମାଧାନ ହୋଇପାରିବ ନାହିଁ । ଟିକା ଆସିଲେ ପ୍ରଥମେ କାହାକୁ ପ୍ରାଧାନ୍ୟ ଦିଆଯିବ ସେ ନେଇ ରାଜ୍ୟ ମାନଙ୍କ ସହିତ ଆଲୋଚନା କରି ନିସ୍ପତ୍ତି ନିଆଯିବ ।