ସାର୍କ ଦେଶକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପରେ ଏକାଠି ହେଉଛନ୍ତି ୮ଟି ଦେଶର ନେତା: ଆଜି ସଂଧ୍ୟା ୫ଟାରେ ଭିଡିଓ କନଫରେନ୍ସିଂ ଦ୍ୱାରା କରୋନା ମୁକାବିଲା ନେଇ ହେବ ଆଲୋଚନା

ପାକିସ୍ତାନ ବି ସାମିଲ ହେବାକୁ କରିଛି ଘୋଷଣା

436

କନକ ବ୍ୟୁରୋ: କରୋନା ମୁକାବିଲା ଦିଗରେ ସାର୍କ ନେତା ଏକଜୁଟ୍ ହୋଇ ରଣନୀତି ପ୍ରସ୍ତୁତ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଆହ୍ୱାନ ଦେଇଛନ୍ତି । ଏହା ପରେ ଏହାକୁ ସମସ୍ତ ୮ଟି ଦେଶ ଗ୍ରହଣ କରିଛନ୍ତି । ଆଜି ଅପରାହ୍ନ ୫ଟାରେ ସାର୍କ ନେତାଙ୍କ କରୋନା ମୁକାବିଲା ରଣନୀତି ନେଇ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି । ସାର୍କର ସମସ୍ତ ସଦସ୍ୟ ମୋଦିଙ୍କ ପ୍ରସ୍ତାବରେ ରାଜି ହୋଇଛନ୍ତି । ଶେଷରେ ପାକିସ୍ତାନ ମଧ୍ୟ ଭାରତର ପ୍ରସ୍ତାବରେ ରାଜି ହୋଇଛି ଏବଂ କରୋନା ମୁକାବିଲା ନେଇ ହେବାକୁ ଥିବା ଭିଡିଓ କନ୍ଫରେନ୍ସିଂ ଆଲୋଚନା କରିବ ବୋଲି ସ୍ପଷ୍ଟ କରିଛି । ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ୱତନ୍ତ୍ର ପ୍ରତିନିଧି ଭାବେ ଜାଫ୍ର ମିର୍ଜା ଏହି କନ୍ଫରେନ୍ସରେ ଯୋଗ ଦେବେ । ପ୍ରଧାନମନ୍ତ୍ରୀ ମୋଦି ଭାରତର ପ୍ରତିନିଧିତ୍ୱ କରିବେ ।

କରୋନାକୁ ନେଇ ଦେଶରେ ଚିନ୍ତା ବଢିଛି । ଏନେଇ କେନ୍ଦ୍ର ସରକାର ଓ ରାଜ୍ୟ ତଥା କେନ୍ଦ୍ରଶାସିତ ଅଂଚଳର ସରକାର ପଦକ୍ଷେପମାନ ନେଉଛନ୍ତି । ଏହି କ୍ରମରେ ଭୂଖଣ୍ଡକୁ ସ୍ପର୍ଶକରୁଥିବା ସୀମାର ପଥଗୁଡିକୁ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଭାରତ ସୀମାକୁ ଲାଗିଥିବା ନେପାଳ, ଭୂଟାନ, ବାଂଲାଦେଶ, ମିଆଁମାରକୁ ସଂଯୋଗ କରୁଥିବା ବାଟକୁ ଆଜିଠାରୁ ବନ୍ଦ କରାଯାଇଛି । ଫଳରେ ଏହି ରାସ୍ତା ଦେଇ କାହାରିକୁ ଭାରତକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇପାରିବ ନାହିଁ । ସେହିପରି ପାକିସ୍ତାନ ସହ ସଂଯୁକ୍ତ ଥିବା ରାସ୍ତାକୁ ଆଜି ମଧ୍ୟରାତ୍ରିରୁ ବନ୍ଦ କରାଯିବ ବୋଲି ସୂଚନା ମିଳିଛି । ସାରା ବିଶ୍ୱରେ କରୋନା ମହାମାରୀ ରୂପ ନେଇଥିବାରୁ ସତର୍କତା ଅବଲମ୍ବନ କରିଛନ୍ତି କେନ୍ଦ୍ର ସରକାର । ବିଶ୍ୱର ପଂଚମ ଦେଶ ଭାବେ କରୋନା ଭୂତାଣୁକୁ ଦୂରେଇ ରଖିବା ପାଇଁ କଠୋର ପଦକ୍ଷେପ ନେଇଛି ଭାରତ ।