ଦେବ ଦୀପାବଳୀ ପାଇଁ ପ୍ରଧାନମନ୍ତ୍ରୀଙ୍କ ବାରଣାସୀ ଗସ୍ତ । ଲକ୍ଷ ଲକ୍ଷ ଦୀପ ସହିତ ବାରଣାସୀରେ ଜନସମାଗମ । ଲକ୍ ଡାଉନରେ ମୋଦିଙ୍କ ପ୍ରଥମ ବାରଣସୀ ଗସ୍ତ

134

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ସୋମବାର) ବାରଣାସୀ ଗସ୍ତରେ ଅଛନ୍ତି । ସେଠାରେ ସେ ଏକ ଜନସଭାକୁ ସମ୍ବୋଧିତ କରିବା ସହ ପ୍ରଥମଥର ପାଇଁ ଦେବ ଦୀପାବଳୀରେ ଭାଗ ନେବେ । ଏହାସହ ନିଜ ସଂସଦୀୟ କ୍ଷେତ୍ରରେ ଏକ ୫୦ କିଲୋମିଟର ଲମ୍ବ ରାଜପଥର ଶୁଭ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ଏହା ପୂର୍ବରୁ ଫେବୃଆରୀ ମାସରେ ବାରଣାସୀ ଗସ୍ତରେ ଯାଇଥିଲେ । ସେ ପ୍ରଧାନମନ୍ତ୍ରୀ ହେବା ପରେ ଏହା ତାଙ୍କର ୨୩ ତମ ବାରଣାସୀ ଗସ୍ତ ।
ଏହି ଗସ୍ତ ସମୟରେ ମୁଖ୍ୟତ ସେ ବାରଣାସୀରୁ ମିର୍ଜାମୁରାଦ ଠାରେ ଏକ ୬ ଲେନର ରାଜପଥକୁ ଲୋକାର୍ପଣ କରିବା ସହ ପ୍ରଥମଥର ପାଇଁ ଦେବ ଦୀପାବଳୀରେ ଭାଗ ନେବେ । ସୂଚନା ମୁତାବକ ପ୍ରଧାନମନ୍ତ୍ରୀ ଦିନ ୨.୧୦ ରେ ବାବତପୁର ଏୟାରପୋର୍ଟରେ ପହଂଚିବେ । ଏଠାରୁ ସେନା ବିମାନରେ ସେ ସିଧା ଖଜୁରୀ ଜନସଭା ନିକଟକୁ ଯିବେ । ସେଠାରେ ସେ କେନ୍ଦ୍ର ରାଜପଥ ମନ୍ତ୍ରୀ ନିତୀନ୍ ଗଡକରିଙ୍କ ସହିତ ବାରଣାସୀୟ -ହଡ୍ଡିୟାଁ ୬ ଲାଇନ୍ ବିଶିଷ୍ଟ ରାଜପଥକୁ ଲୋକାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି ।
ଏହାପରେ ପ୍ରଧାନମନ୍ତ୍ରୀ ଡିମରେ ହେଲିପ୍ୟାଡ ନିକଟରେ ପହଂଚି ସଡକ ପଥରେ ଭଗବାନ ଅବଧୁତ ରାମ ଘାଟକୁ ଯିବେ । ସେଠାରୁ ସିଧା ବିଶ୍ୱନାଥ ମନ୍ଦିର ଯାଇ ଠାକୁର ଦର୍ଶନ କରିବେ ଓ ଏହାସହ ଏକ ଡକ୍ୟୁମେଣ୍ଟରୀ ମାଧ୍ୟମରେ ବିଶ୍ୱନାଥ ମନ୍ଦିରର ନିର୍ମାଣ ଦେଖିବେ ।  ସେଠାରୁ ସେ ୪.୪୫ ରେ ଅଳକାନନ୍ଦା ଠାରେ ପହଂଚି ସଂନ୍ଧ୍ୟା ୫ ଟାରେ ଦୀପ ଜଳାଇ ଦେବ ଦୀପାବଳୀର ଉଦଘାଟନ କରିବେ । ଏହାସହ ସେଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ଏକ ୱେବସାଇଟକୁ ଉଦଘାଟନ କରିବାର ବି କାର୍ଯ୍ୟକ୍ରମ ରହିଛି ।
କହିରଖୁ କି ଶହ ଶହ ବର୍ଷ ହେବ ଦେବ ଦୀପାବଳୀ ଏଠାରେ ଆୟୋଜନ କରାଯାଉଛି । ହେଲେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାର ୭ ବର୍ଷ ପରେ ପ୍ରଥମ ଥର ପାଇଁ ଏଠାରେ ଉପସ୍ଥିତ ରହିବେ । ଫଳରେ ସେଠାରେ ମୋଦିଙ୍କ ଦୀପଦାନ ଦେଖିବାକୁ ହଜାର ହଜାର ଭକ୍ତଙ୍କ ଭିଡ ଲାଗୁଥିବା ଦେଖିବାକୁ ମିଳିଛି ।