କନକ ବ୍ୟୁରୋ: କନ୍ଧମାଳ ସଙ୍କଳ୍ପ ସମାବେଶରେ ଉଭୟ ଶାସକ ବିଜେଡି ଓ କଂଗ୍ରେସ ଦଳ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । କହିଛନ୍ତି, ‘କନ୍ଧମାଳକୁ ଓଡିଶାର କାଶ୍ମୀର କୁହାଯାଏ । ଏହା ରାଜ୍ୟ ପର୍ଯ୍ୟଟନର ଏକ ମୁଖ୍ୟ ଆଧାର । କିନ୍ତୁ ଏହାର ବିକାଶ ପାଇଁ ରାଜ୍ୟ ସରକାର ଉଦାସୀନ । ହେଲେ ବିଜେପି ଏହାକୁ ପର୍ଯ୍ୟଟନର ମୁଖ୍ୟ ସ୍ରୋତକୁ ଆଣିବ । ଫଳରେ କନ୍ଧମାଳବାସୀଙ୍କ ପାଇଁ ରୋଜଗାର ମାର୍ଗ ବାହାରିବ । କନ୍ଧମାଳ ହଳଦି ସାରା ଦେଶରେ ଜଣାଶୁଣା । ଏହାକୁ କେନ୍ଦ୍ର ସରକାର ଜିଆଇ ଟ୍ୟାଗ୍ ମାନ୍ୟତା ଦେଇସାରିଛନ୍ତି । କିନ୍ତୁ ଏଠି ଖୋଦ୍ ବିଜେଡି ସରକାର ନା କନ୍ଧମାଳ ହଳଦୀର ମହତ୍ୱ ବୁଝିଛନ୍ତି ନା ହଳଦୀ ଗାଷୀଙ୍କୁ ପ୍ରୋତ୍ସାହନ ଦେଉଛନ୍ତି । କିନ୍ତୁ ବିଜେପି ସରକାର ଆଗାମୀ ଦିନରେ ଏଠିକାର ହଳଦୀ ଚାଷୀଙ୍କ ଦୁଃଖ ଦୂରେଇବ । ଏଠାରେ ‘ମସଲା ପାର୍କ’ ପ୍ରତିଷ୍ଠା କରିବ । ଏହାସହ ବିଜେପି ‘ହଳଦି ବୋର୍ଡ’ ମଧ୍ୟ ପ୍ରତିଷ୍ଠା କରିଛି’ ବୋଲି କହିଛନ୍ତି ମୋଦୀ ।

ମୋଦୀ ଆହୁରି କହିଛନ୍ତି, ‘ଏଠିକାର ଡୋକ୍ରା ଓ ବାଉଁଶ କାରିଗରଙ୍କ କଳା ସବୁଠୁ ନିଆରା । ହେଲେ ସେମାନଙ୍କ ପାଇଁ ରାଜ୍ୟ ସରକାର ଉଦାସୀନ । କିନ୍ତୁ ବିିଜେପି ସରକାର ସେମାନଙ୍କ ପାଇଁ ବିଶ୍ୱକର୍ମା ଯୋଜନା ଆଣିଛି । କନ୍ଧମାଳରେ କେନ୍ଦ୍ର ସରକାର ଏକାଧିକ ଏକଲବ୍ୟ ସ୍କୁଲ ପ୍ରତିଷ୍ଠା କରିବାକୁ ଚାହୁଁଥିଲେ ବି ବାଧକ ସାଜୁଛନ୍ତି ବିଜେଡି ସରକାର । କନ୍ଧମାଳର ଶିକ୍ଷା ବ୍ୟବସ୍ଥାକୁ ବିଜେଡି କବଜା କରି ରଖିଛି । ବିଜେଡି ଓ କଂଗ୍ରେସ କନ୍ଧମାଳକୁ ପଛୁଆ ଜିଲ୍ଲା ଘୋଷଣା କରି ନିଜର ଦାୟିତ୍ୱ ଶେଷ କରିଦେଇଛନ୍ତି କିନ୍ତୁ ବିଜେପି କନ୍ଧମାଳକୁ ଆକାଂକ୍ଷୀ ଜିଲ୍ଲା ଭାବେ ଘୋଷଣା କରିଛି । ବିଜେପି କନ୍ଧମାଳର ହେଉଥିବା କାର୍ଯ୍ୟର ତଦାରଖ କରୁଛି । ବିଜେଡି ନେତା ଆଦିବାସୀଙ୍କ ଜମି ଲୁଟୁଛନ୍ତିି । କିନ୍ତୁ ବିଜେପି ସରକାର ଏଭଳି ମାଫିଆଙ୍କୁ ସାବାଡ କରିବ ।

‘ଏତେ ଦିନ ହେଲା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଅଛନ୍ତି, ବିନା କାଗଜରେ ଜିଲ୍ଲା ଓ ଜିଲ୍ଲା ମୁଖ୍ୟାଳୟର ନାଁ କହିପାରିବେନି । ଏଭଳି ମୁଖ୍ୟମନ୍ତ୍ରୀ ଶାସନରେ ରହିବା ଉଚିତ୍ କି? ଏତେ ଦିନ ମୁଖ୍ୟମନ୍ତ୍ରୀ ରହିବା ପରେ ଓଡ଼ିଶାର ଲୋକ ଦୁଃଖୀ କାହିଁକି ଅଛନ୍ତି । ତେଣୁ ୫ ବର୍ଷ ପାଇଁ ବିାଜେପିକୁ ସୁଯୋଗ ଦିଅନ୍ତୁ, ଓଡ଼ିଶାକୁ ନମ୍ବର-୧ କରିଦେବୁ ।

‘ମୁଁ ଓଡିଶାବାସୀଙ୍କ ଋଣୀ । ସେମାନଙ୍କ ସେବା କରି ସେମାନଙ୍କ ଋଣ ସୁଝିବାକୁ ଚାହୁଁଛି । ଓଡ଼ିଶାକୁ ଏକ ନମ୍ବର କରିବାକୁ ହେଲେ, ଓଡ଼ିଆ ଲୋକଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ହେବ । କନ୍ଧମାଳର ପ୍ରତି ପରିବାରକୁ ମୋର ଜୟ ଜଗନ୍ନାଥ ପହଞ୍ଚାଇ ଦେବେ’ ବୋଲି କହିଛନ୍ତି ମୋଦୀ ।