କନକ ବ୍ୟୁରୋ : ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିବୃତି ଦାବି କରି ବିରୋଧୀମାନେ ଅଡି ବସିଥିବା ବେଳେ ଆଜି ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ବିବୃତି ରଖିଛନ୍ତି । ଏହି କ୍ରମରେ ସେ ବିରୋଧୀଙ୍କ ମଣିପୁର ପ୍ରସଙ୍ଗକୁ ପଛରେ ପକାଇ ଆଗ ବିରୋଧୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ସେ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟକୁ ଆକ୍ଷେପ କରି ଏହାକୁ ଏକ ଅହଂକାରୀଙ୍କ ମେଣ୍ଟ ବୋଲି କହିଛନ୍ତି । ଏହାସହ ଏହି ମେଣ୍ଟକୁ ଏକ ବାହାଘର ବୋଲି ତୁଳନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ବାହାଘରରେ ସମସ୍ତେ ବର ହେବାକୁ ଚେଷ୍ଟା କରୁଛନ୍ତି । ମେଣ୍ଟରେ ଥିବା ସମସ୍ତ ନେତା ପ୍ରଧାନମନ୍ତ୍ରୀ ହେବାକୁ ଚେଷ୍ଟା ଚଳାଇଛନ୍ତି । ଏହି ମେଣ୍ଟ ଏପର୍ଯ୍ୟନ୍ତ କେଉଁ ରାଜ୍ୟରେ କାହା ସହ ମେଣ୍ଟ କରିବ ତାହା ଚିନ୍ତା କରିନାହିଁ ବୋଲି କଟାକ୍ଷ କରିଛନ୍ତି । ପଶ୍ଚିମବଙ୍ଗ, ଦିଲ୍ଲୀ ଭଳି ରାଜ୍ୟର ଉଦାହରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।

Advertisment

ସେପଟେ କଂଗ୍ରେସର ନିର୍ବାଚନୀ ଚିହ୍ନକୁ ନେଇ ମଧ୍ୟ ମୋଦୀ କଟାକ୍ଷ କରିଛନ୍ତି । ସେ କହିଛନ୍ତି କି ପ୍ରଥମେ କଂଗ୍ରେସର ନିର୍ବାଚନ ଚିହ୍ନ ଗାଈ ଓ ବାଛୁରୀ ଥିବା ବେଳେ ଏହା ପରବର୍ତ୍ତୀ ସମୟରେ ହାତ ଚିହ୍ନକୁ ବଦଳିଯାଇଛି । ଏଥିରୁ କଂଗ୍ରେସର ଚରିତ୍ର ସମ୍ପୂର୍ଣ୍ଣ ଭାବେ ବାରି ହୋଇପଡିଛି ।