୬ଟି ରାଜ୍ୟରେ ‘ସ୍ୱାମୀତ୍ୱ ଯୋଜନା’ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ । ଡ୍ରୋନ ମାଧ୍ୟମରେ ଗାଁର ସବୁ ଲୋକଙ୍କ ସଂପତ୍ତି ହେବ ମ୍ୟାପିଂ। ପଂଚାୟତିରାଜକୁ କରାଯିବ ଡିଜିଟାଲିକରଣ

1,821

କନକ ବ୍ୟୁରୋ: ଦେଶରେ କରୋନା ମହାମାରୀ ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ସମସ୍ତ ସରପଂଚଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ କଥାବାର୍ତ୍ତା ହୋଇଛନ୍ତି । ଏଥିସହିତ ପଂଚାୟତିରାଜ ଦିବସ ଅବସରରେ ମୋଦି ଏକ ନୂଆ ଇ-ଗ୍ରାମ ସ୍ୱରାଜ ପୋର୍ଟାଲ ଏବଂ ଏକ ସ୍ୱତନ୍ତ୍ର ମୋବାଇବ ଆପ ଲଂଚ ମଧ୍ୟ କରିଛନ୍ତି । ତେବେ ଏହି ପୋର୍ଟାଲ ଜରିଆରେ ଗ୍ରାମ ପଂଚାୟତର ସମସ୍ୟା ଏବଂ ସେମାନଙ୍କ ସହ ଜଡିତ ସମସ୍ତ ସୂଚନା ଗୋଟିଏ ଜାଗାରେ ଉପଲବ୍ଧ ହେବ । ସେହିଭଳି ପଂଚାୟତି ରାଜ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୬ଟି ରାଜ୍ୟରେ ସ୍ୱାମୀତ୍ୱ ଯୋଜନାର ଶୁଭାରମ୍ଭ ମଧ୍ୟ କରିଛନ୍ତି । ଯାହା ଫଳରେ ପଂଚାୟତିରାଜକୁ ଡିଜିଟାଲିକରଣ କରାଯିବା ସହ ଡ୍ରୋନ ମାଧ୍ୟମରେ ଗାଁର ସବୁ ଲୋକଙ୍କ ସଂପତିକୁ ମ୍ୟାପିଂ କରାଯିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ଗ୍ରାମ ପଂଚାୟତର ପ୍ରତିନିଧିଙ୍କ ସହିତ ଆଲୋଚନା କରିଛନ୍ତି । ଏହି ଅବସରରେ ନୂଆ ଇଗ୍ରାମ ସ୍ୱାରାଜ ପୋର୍ଟାଲ ସହିତ ଉଦଘାଟନ ହୋଇଛି ସ୍ୱାମିତ୍ୱ ଆପ୍ । ଦେଶର ୬ଟି ରାଜ୍ୟରେ ଆରମ୍ଭ ହେଉଛି ଏହି ସ୍ୱାମିତ୍ୱ ଯୋଜନା । ଆଗକୁ ଏହା ଆରମ୍ଭ ହେବ ଦେଶର ସବୁ ଗ୍ରାମରେ । ଡ୍ରୋନ୍ ଜରିଆରେ ସମସ୍ତଙ୍କ ସମ୍ପତି ନେଇ ସର୍ଭେ ତଥ୍ୟ ରହିବ ଏହି ଆପରେ । ସମ୍ପତିକୁ ନେଇ ଲୋକଙ୍କ ମଧ୍ୟରେ ଥିବା ବିବାଦ ବି କମିଯିବ । ସହର ପରି ଆପଣ ଗାଁରେ ବି ସ୍ୱାମିତ୍ୱ ଆପ୍ ଜରିଆରେ ଋଣ ନେଇପାରିବେ ।

ହରିୟାଣା, ଉତରପ୍ରଦେଶ, ମଧ୍ୟପ୍ରଦେଶ ପରି ୬ ଟି ରାଜ୍ୟରେ ଏହା ପ୍ରାଥମିକ ଲାଗୁ ହୋଇଛି । ଆଗକୁ ଏହା ଦେଶର ଗ୍ରାମବାସୀମାନଙ୍କୁ ସ୍ୱାବଲଂବୀ କରିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଜାମ୍ମୁକାଶ୍ମୀରର ବାରାମୁଲାର ସରପଂଚ ମହମ୍ମଦ ଇକବାଲଙ୍କ ସହିତ କଥା ହୋଇଥିଲେ । ଇକବାଲ୍ କହିଥିଲେ ସେ କିପରି ତାଙ୍କର ସମସ୍ତ ଗାଁ ଗୁଡିକୁ କରୋନା ଭୂତାଣୁ ଓ ତାଲାବନ୍ଦ ନେଇ ସୂଚନା ଦେଇଥିଲେ । ଏହି ଅବସରରେ ମୋଦି କହିଛନ୍ତି ଏବେ କରୋନା ପାଇଁ ଆମର କଥା ହେବାର ତରିକା ବି ବଦଳି ଯାଇଛି । କେହି ସାମ୍ନାସାମ୍ନି କଥା ହୋଇପାରୁନେ । କରୋନା ଅବସରରେ ଏବେ ଗାଁ ଯାଏଁ ଗ୍ରାମସ୍ୱରାଜ ପହଁଚିବାର ଆବଶ୍ୟକତା ବଢିଯାଇଛି । କରୋନା ମୁକାବିଲା କରିବାକୁ ହେଲେ ଆଗକୁ ଆମକୁ ଆତ୍ମନିର୍ଭରଶୀଳ ହେବାକୁ ପଡିବ । ବିନା ଆତ୍ମନିର୍ଭରଶୀଳ ହୋଇ ଏହାକୁ ମୁକାବିଲା କରିପାରିବା ନାହିଁ । ବର୍ତମାନ ବଦଳିଥିବା ପରିସ୍ଥିତି ଆମକୁ ଆତ୍ନନିର୍ଭରଶୀଳ ହେବାକୁ ପୁଣି ମନେ ପକାଇ ଦେଇଛି ।