କନକ ବ୍ୟୁରୋ : ଲଗାତାର ଦ୍ୱିତୀୟ ଥର ପାଇଁ ଲୋକସଭାର ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ବିଜେପି ସାଂସଦ ଓମ୍ ବିର୍ଲା । ବାଚନିକ ଭୋଟରେ ଇଣ୍ଡିଆ ମେଣ୍ଟର ପ୍ରାର୍ଥୀ କେ ସୁରେଶଙ୍କୁ ପରାଜିତ କରି ବାଚସ୍ପତି ନିର୍ବାଚିତ ହୋଇଛନ୍ତି ଓମ୍ ବିର୍ଲା । ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ଓମ୍ ବିର୍ଲାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହାସହ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଆଗାମୀ ୫ ବର୍ଷ ଆପଣ ଆମର ମାର୍ଗଦର୍ଶନ କରିବେ । ଆପଣଙ୍କୁ ବହୁତ ବଡ ଦାୟିତ୍ୱ ମିଳିଛି । ଲଗାତାର ଦ୍ୱିତୀୟ ଥର ପାଇଁ ବାଚସ୍ପତି ହୋଇଛନ୍ତି ।

Advertisment

ସେହିଭଳି ଓମ୍ ବିର୍ଲାଙ୍କ ପୂର୍ବ କାର୍ଯ୍ୟକାଳର କଥା ମନେ ପକାଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଆପଣଙ୍କ ଅଧ୍ୟକ୍ଷତାରେ ଐତିହାସିକ କାମ ହୋଇଛି । ଯାହା ଗତ ୭୦ ବର୍ଷ ମଧ୍ୟରେ ହୋଇନଥିଲା ତାହା ଆପଣଙ୍କ କାର୍ଯ୍ୟକାଳରେ ହୋଇଛି । ୧୭ତମ ଲୋକସଭାର ସଂସଦୀୟ ଇତିହାସ ସ୍ୱର୍ଣ୍ଣିମ ଅଧ୍ୟାୟରେ ଲିପିବଦ୍ଧ ହୋଇ ରହିବ । ୧୭ତମ ଲୋକସଭାର କାର୍ଯ୍ୟକାଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ଆଇନ ପାରିତ ହୋଇଛି । ନୂଆ ସଂସଦ ଭବନକୁ ମଧ୍ୟ ଆପଣଙ୍କ ଅଧ୍ୟକ୍ଷତାରେ ପ୍ରବେଶ କରିଛୁ । ଆପଣଙ୍କ ନେତୃତ୍ୱରେ ଜି-୨୦ ସଫଳ ଆୟୋଜନ କରିପାରିଲା ଭାରତ ।

ଓମ୍ ବିର୍ଲାଙ୍କ କାର୍ଯ୍ୟକୁ ପ୍ରଂଶସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, କରୋନା ସମୟରେ ଗୃହ କାର୍ଯ୍ୟକୁ ଅଟକାଇବାକୁ ଦେଇନଥିଲେ । ସାଂସଦ ମାନେ ମଧ୍ୟ ଆପଣଙ୍କର ପ୍ରତିଟି ପରାମର୍ଶକୁ ଗ୍ରହଣ କରିଛନ୍ତି । ଆପଣ ବିଶେଷ ଅଭିନନ୍ଦନର ଅଧିକାରୀ ଅଟନ୍ତି । ଏନଡିଏ ବାଚସ୍ପତି ପ୍ରାର୍ଥୀ ଭାବେ ଓମ୍ ବିର୍ଲାଙ୍କ ନାଁକୁ ପ୍ରସ୍ତାବ ରଖିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଯାହାକୁ ସମର୍ଥନ କରିଥିଲେ ଏନଡିଏର ସହଯୋଗୀ ଦଳ ।