କରୋନା ମୁକାବିଲା : ମୋଦି କହିଲେ ନବୀନଙ୍କୁ କର ଅନୁକରଣ, ଭଉଣୀ ଗୀତା ମେହେଟ୍ଟାଙ୍କ ପଞ୍ଜୀକରଣ କରି ପ୍ରଂଶସିତ ହେଲେ ନବୀନ ।

1,891

କନକ ବ୍ୟୁରୋ : କରୋନା ମୁକାବିଲା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିବା ପଦକ୍ଷେପକୁ ପ୍ରଂଶସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଦେଶରୁ ଫେରିଥିବା ଭଉଣୀ ଗୀତା ମେହେଟ୍ଟାଙ୍କ ବାବଦରେ ୱେବସାଇଟରେ ପଞ୍ଜୀକରଣ କରିବା ନେଇ ନବୀନଙ୍କୁ ପ୍ରଂଶସା କରିଛନ୍ତି ପ୍ରଧାନମନ୍ତ୍ରୀ । କରୋନା ମୁକାବିଲା ନେଇ ନବୀନଙ୍କ ପଦକ୍ଷେପ ଅନ୍ୟ ମାନଙ୍କ ପାଇଁ ଉଦାହଣ ବୋଲି କହିଛନ୍ତି ମୋଦି । ଏହାସହ ନବୀନଙ୍କ ପଦକ୍ଷେପକୁ ଅନ୍ୟମାନେ ଅନୁସରଣ କରିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଯାହାଦ୍ୱାରା କରୋନା ଭାଇରସ ବ୍ୟାପିବା ପୂର୍ବରୁ ରୋକାଯାଇପାରିବ ।

ଏହାପୂର୍ବରୁ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଅନେକ ଗୁଡିଏ ପଦକ୍ଷେପ ଆପଣାଇଛନ୍ତି । ଯେଉଁଥିରେ ୱେବସାଇଟରେ ପଞ୍ଜୀକରଣ ଭଳି ବ୍ୟବସ୍ଥା ରହିଛି । ଏହାଦ୍ୱାରା ବାହାରୁ ଆସିଥିବା ବ୍ୟକ୍ତି ନିଜ ବାବଦରେ ଏହି ୱେବସାଇଟରେ ତଥ୍ୟ ଦେବା ବାଧ୍ୟତାମୂଳକ କରାଯାଇଛି । ଯାହାଦ୍ୱାରା ବାହାରୁ ଆସିଥିବା ବ୍ୟକ୍ତିଙ୍କୁ ଅତି ସହଜରେ ଚିହ୍ନଟ କରାଯିବା ସହ ଏମାନଙ୍କୁ ସ୍ୱତନ୍ତ୍ର ନୀରିକ୍ଷଣରେ ରଖାଯାଇପାରିବ । ଏହି କ୍ରମରେ ଆଜି ସରକାରୀ ୱେବସାଇଟରେ ବାହାରୁ ଆସିଥିବା ଭଉଣୀ ଗୀତା ମେହେଟ୍ଟାଙ୍କ ପଞ୍ଜୀକରଣ କରିଥିଲେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ଯେଉଁମାନେ ବାହାରୁ ଆସୁଛନ୍ତି ସେମାନଙ୍କ ବାବଦରେ ୱେବସାଇଟରେ ତଥ୍ୟ ଉଲ୍ଲେଖ କରିବାକୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ । ଯାହାଦ୍ୱାରା ସମସ୍ତେ ସୁରକ୍ଷିତ ରହିପାରିବେ ।

ସେହିଭଳି ପୁରୀ ଗଜପତି ମହାରାଜ ବାହାରୁ ଆସିବା ପରେ ସ୍ୱତଃପ୍ରବୃତ ଭାବେ ନିଜର ଓ ନିଜ ପରିବାର ବାବଦରେ ୱେବସାଇଟରେ ପଞ୍ଜୀକରଣ କରିବା ପରେ ହୋମ କ୍ୱାରେଣ୍ଟାଇନରେ ରହିଛନ୍ତି । କ୍ରୀଡା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା ମଧ୍ୟ ବିଦେଶରୁ ଫେରିବା ପରେ ୱେବସାଇଟରେ ପଞ୍ଜୀକରଣ କରିବା ସହ ହୋମ କ୍ୱାରେଣ୍ଟାଇନରେ ରହିଛନ୍ତି ।