ସୀମାରୁ ଚୀନକୁ ଚେତାବନୀ ଦେଲେ ପ୍ରଧାନମନ୍ତ୍ରୀ: କହିଲେ, ଚଳିବନି ବିସ୍ତାରବାଦ, ଲଦାଖର ସଂପୂର୍ଣ୍ଣ ଅଂଶ ଭାରତର ମାନ ସମ୍ମାନର ପ୍ରତୀକ; କୌଣସି ପରିସ୍ଥିତିରେ ମୁଣ୍ଡ ନୁଆଁଇବନି ଭାରତ

ସେପଟେ ଚୀନ କହିଲା, କୌଣସି ପକ୍ଷ ବଢ଼ାନ୍ତୁ ନାହିଁ ଉତେଜନା

493

କନକ ବ୍ୟୁରୋ: ଗଲୱାନ ଘାଟିରେ ରକ୍ତାକ୍ତ ସଂଘର୍ଷ ପରେ ଚୀନ ଓ ଭାରତ ମଧ୍ୟରେ ଉତେଜନା ବଢ଼ୁଥିବାବେଳେ ଆଜି ହଠାତ୍ ଲଦାଖ ଯାଇ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚୀନ ଆଡକୁ ଇସାରା କରି କହିଛନ୍ତି, ଆଉ ବିସ୍ତାରବାଦ ଚଳିବ ନାହିଁ । ଭାରତ ନିଜ ସାର୍ବଭୌ÷÷ମତ୍ୱର ସୁରକ୍ଷା କରିବା ଭଲ ଭାବରେ ଜାଣେ । କୌଣସି ବି ପରିସ୍ଥିତିରେ ଗଲୱାନ ଘାଟିକୁ ନେଇ ଭାରତ ଚୀନ ଆଗରେ ମୁଣ୍ଡ ନୁଆଁଇବ ନାହିଁ । ମୋଦିଙ୍କ ଏହି ଗସ୍ତ ଚୀନ ପାଇଁ ଏକ ବଡ ବାର୍ତା ବୋଲି କୁହାଯାଉଛି ।

ଭାରତ-ଚାଇନା ମଧ୍ୟରେ ବିବାଦ ଉଗ୍ରରୁପ ନେଉଥିବା ବେଳେ ଲଦାଖ ସୀମାରେ ସେନାର ସ୍ଥିତି ଅନୁଧ୍ୟାନ କରିବା ପାଇଁ ପହଂଚିଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ପରେ ଭାରତର ଯବାନଙ୍କମାନଙ୍କୁ ସମ୍ବୋଧନ କରିଛନ୍ତି ମୋଦି । ଭାରତମାତା କି ଜୟର ନାରା ଦେଇ ମୋଦି ଦୃଢତାର ସହିତ କହିଛନ୍ତି ବିସ୍ତାରବାଦର ସମୟ ଚାଲିଗଲା । ଦେଶପ୍ରତି ଯବାନମଙ୍କ ସମର୍ପଣ ଅତୁଳନୀୟ । ଭାରତୀୟ ଯବାନ କାହାଠାରୁ କମ ନୁହେଁ । ଭାରତୀୟ ଯବାନଙ୍କ ଇଚ୍ଛାଶକ୍ତିକୁ ପାହାଡ ସହ ତୁଳନା କରିଛନ୍ତି ମୋଦି । ଯବାନଙ୍କ ସାହସ ହିମାଳୟ ପର୍ବତ ଠାରୁ ଉଚ୍ଚ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ସୀମାର ଉଭୟ ପଟରେ ସୌନ୍ୟସାମନ୍ତ ଠୁଳ ହେବାରେ ଲାଗିଛନ୍ତି । ଅନ୍ୟପଟେ କୁଟନୈତିକ କଥାବାର୍ତା ବି ଚାଲିଛି । ଏହାରି ଭିତରେ ଆହ୍ୱାନର ସ୍ୱରକୁ ଆହୁରି ବଢାଇ ଭାରତ ଚୀନର ୫୯ଟି ଆପକୁ ମଧ୍ୟ ବ୍ୟାନ କରିଦେଇଛି । ଏସବୁ ଭିତରେ ମୋଦି ସୀମାରେ ପହଂଚି ବିସ୍ତାରବାଦର ସମୟ ଚାଲିଗଲା ବୋଲି କହିବା, ଚୀନକୁ ଏକ ଦୃଢ ବାର୍ତା ବୋଲି କୁହାଯାଉଛି । ସମୁଦ୍ରପତନ ଠାରୁ ୧୧ହଜାର ଫୁଟ ଉପରେ ଯେଉଁଠି ଜଣେ ସୁସ୍ଥ ମଣିଷକୁ କମ ସେ କମ ୨ଦିନ ସମୟ ଲାଗେ ବାୟୁମଣ୍ଡଳ ସହିତ ନିଜକୁ ଖାପ ଖୁଆଇବାକୁ , ସେହିପରି ଏକ ଶୁସ୍କ ପରିବେଶରେ, ଯେଉଁଠି ସୂର୍ଯ୍ୟର ଅତିବାଇଗଣୀ ରଶ୍ମୀ ପଡୁଥାଏ, ସେମିତି ଏକ ପରିବେଶରେ, ଲାଦାଖରେ ସୀମାରେ ସ୍ଥିତିର ଅନୁଧ୍ୟାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

୬୯ ବର୍ଷିୟ ମୋଦି ଲେହର କୁଶୋକ ବାକୁଲା ରିମପୋଛି ବିମାନବନ୍ଦରରେ ଓହ୍ଲାଇଥିଲେ । ଚାଇନାର ପିପୁଲସ ଲିବରେସନ ପାର୍ଟି ବିରୋଧରେ ସୀମାରେ ଭାରତୀୟ ସେନାର ପ୍ରସ୍ତୁତି ସମ୍ପର୍କରେ ତଦାରଖ କରିବାକୁ ପହଂଚିଥିଲେ ମୋଦି । ସାଥିରେ ଥିଲେ ପ୍ରତିରକ୍ଷା ମୁଖ୍ୟ ବିପିନ ରାୱତ, ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରବାଣେ । ବିମାନବନ୍ଦରରୁ ପ୍ରଧାନମନ୍ତ୍ରୀ ସିଧା ଯାଇଥିଲେ ଲେହର ନିମୁଠାରେ ଥିବା ମୁଖ୍ୟାଳୟକୁ । ନର୍ଦନ ଆର୍ମି କମାଣ୍ଡର ଲେଫନାଂଟ ଜେନେରାଲ ୱାଇ କେ ଯୋଶୀଙ୍କ ଉପସ୍ଥିତିରେ କର୍ପସ କମାଣ୍ଡର ଲେଫ୍ଟନାଂଟ ଜେନେରାଲ ହରିନ୍ଦର ସିଂହ ନରେନ୍ଦ୍ର ମୋଦିଙ୍କୁ ସେନାର ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ । ଲାଦାଖରେ ମୋଦିଙ୍କ ଏହି ଉପସ୍ଥିତି ଚାଇନା ଏବଂ ସାରା ବିଶ୍ୱକୁ ଏକ ବଡ ବାର୍ତା ଦେଇଛି ।