ଗୋଆରେ କଂଗ୍ରେସ ଉପରେ ବର୍ଷିଲେ ମାମତା, ରାଜନୀତିକୁ ନେଇ କହିଲେ ଏମିତି କଥା

166

କନକ ବ୍ୟୁରୋ : ଏବେ ଗୋଆ ଗସ୍ତରେ ଅଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏକ ସାମ୍ବାଦିକ ସମ୍ମିଳନୀରେ ମମତା କହିଛନ୍ତି କି ଦେଶରେ ରାଜନୀତି ଯେଭଳି ଚାଲିଛି ତାହା ନରେନ୍ଦ୍ର ମୋଦୀଙ୍କୁ ଆହୁରି ଶକ୍ତିଶାଳୀ କରିବ । ଏହାର କାରଣ ଭାବେ ମମତା କହିଛନ୍ତି କି କଂଗ୍ରେସ ଏବେ ରାଜନୀତିକୁ ଯେତେ ହାଲକା ଭାବେ ନେଉଛି ତାହା ହିଁ ମୋଦୀଙ୍କୁ ଶକ୍ତିଶାଳୀ କରାଇବାରେ ସହାୟକ ହେବାରେ ଲାଗିଛି ।

ଗୋଆ ଗସ୍ତର ଶେଷ ଦିନରେ ମମତା ବାନାର୍ଜୀ କଂଗ୍ରେସକୁ ଏଭଳି ପରାମର୍ଶ ଦେଇଥିବା ବେଳେ ବିଜେପିକୁ ଟାର୍ଗେଟ କରି କହିଛନ୍ତି କି ଦିଲ୍ଲୀରେ ଦାଦାଗୀରି ବହୁତ ହେଲା । ଏବେ ଏହାର ପରିସମାପ୍ତି ହେବା ଦରକାର ।
୩ ଦିନିଆ ଗୋଆ ଗସ୍ତର ଶେଷ ଦିନରେ ପାନାଜୀ ଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଦ୍ଧିତ କରିବା ଅବସରରେ ମମତା କହିଛନ୍ତି କି କଂଗ୍ରେସ ନିଷ୍ପତ୍ତି ନନେଇ ପାରିବାର ଦୁର୍ବଳତା ଏବେ ଦେଶବାସୀ ଭୋଗୁଛନ୍ତି । ଏବେ ବି କଂଗ୍ରେସ ରାଜନୀତିକୁ ଗମ୍ଭୀରତାର ସହ ନନେଉଥିବା କଥା ମମତା ଅଭିଯୋଗ କରିଛନ୍ତି । କଂଗ୍ରେସର ଦୁର୍ବଳ ନେତୃତ୍ୱ ପାଇଁ ମୋଦୀ ଶକ୍ତିଶାଳୀ ହେବାରେ ଲାଗିଛନ୍ତି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ନେଇ ମମତା କହିଛନ୍ତି କି କଂଗ୍ରେସକୁ ବିଜେପି ସହିତ ଲଢିବାର ସୁଯୋଗ ମିଳିଥିଲା । କିନ୍ତୁ ପଶ୍ଚିମବଙ୍ଗ ନିର୍ବାଚନ ବେଳେ ସେ ବିଜେପି ସହିତ ଲଢିବା ପରିବର୍ତ୍ତେ ମୋ ସହିତ ଲଢେଇ କରିଥିଲା ବୋଲି ମମତା କହିଛନ୍ତି ।

ଅନ୍ୟପଟେ ଗୋଆ ବିଧାନସଭା ନିର୍ବାଚନ ନେଇ ମମତା କହିଛନ୍ତି କି ଆଗାମୀ ବିଧାନସଭା ନିର୍ବାଚନରେ ଟିଏମସି ଗୋଆର ସମସ୍ତ ୪୦ ଆସନରେ ପ୍ରତିଦ୍ୱନ୍ଦିତା କରିବ । ଅନ୍ୟପଟେ ଯଦି କୌଣସି ଆଞ୍ଚଳିକ ଦଳ ସେମାନଙ୍କ ସହ ମେଣ୍ଟ କରିବାକୁ ଚାହିଁବ ତେବେ ସେମାନଙ୍କୁ ସ୍ୱାଗତ କରାଯିବ । କାରଣ ଦେଶରେ ଆଞ୍ଚଳିକ ଦଳମାନେ ମଜବୁତ ହେବା ଦରକାର ବୋଲି ମମତା କହିଛନ୍ତି । ଯଦି ରାଜ୍ୟମାନେ ମଜବୁତ ହେବେ ତେବେ ଦିଲ୍ଲୀର ଦାଦାଗୀରୀ ବନ୍ଦ ହୋଇଯିବ ବୋଲି ସେ କହିଥିଲେ ।