କନକ ବ୍ୟୁରୋ: ଉତ୍ତରପ୍ରଦେଶ ସମତେ ୫ଟି ରାଜ୍ୟରେ ଭୋଗ ଗଣତି ଜାରି ରହିଛି । ଏଯାଏଁ ମିଳିଥିବା ସୂଚନା ମୁତାବକ, ଉତ୍ତରପ୍ରଦେଶରେ ବିଜେପି ପୁଣି ସରକାର ଗଢିବା ନେଇ ଏକ ପ୍ରକାର ସୁନିଶ୍ଚିତ ହୋଇସାରିଛି । କାରଣ ଏଠାରେ ମୋଟ ୪୦୩ ଆସନରୁ ବିଜେପିକୁ ମହୁମତ ଭାବେ ୨୭୩ଟି ଆସନରେ ବିଜୟ ମିଳିଛି । ତେଣୁ ରାଜ୍ୟରେ ପୁଣିଥରେ ଯୋଗୀ ସରକାର ଗଢାହେବା ନେଇ ଆକଳନ ସତ ହେବାକୁ ଯାଉଛି । ଏବେ ବିଜେପି ନିଜର ବିଜୟର ଉତ୍ସବ ପାଳିବାକୁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି ।

Advertisment

ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ରହିଛି । ସୂଚନା ମୁତାବକ, ମୋଦୀ ଆଜି ସନ୍ଦ୍ୟା ୬ଟା ୩୦ରେ ଦିଲ୍ଲୀ ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ପହଞ୍ଚିବେ । ଏଠାରେ ସେ କର୍ମୀଙ୍କୁ ସମ୍ବୋଧନ କରିବେ । ଏହାପରେ ବିଜେପି ସଂସଦୀୟ ଦଳର ବୈଠକ ମଧ୍ୟ ବସିବ ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦୀର୍ଘ ୩୭ ବର୍ଷ ପରେ ଉତ୍ତରପ୍ରଦେଶରେ ଗୋଟିଏ ଦଳ ଏକାଧିକ ଥର ଆସନକୁ ଆସିବାର ଇତାହାସ ସୃଷ୍ଟି ହେବାକୁ ଯାଉଛି । ଏହା ପୂର୍ବରୁ ୧୯୮୫ ମସିହାରେ କଂଗ୍ରେସ ଦ୍ୱିତୀୟ ଥର ସତ୍ତାକୁ ଆସିଥିଲା । ସେ ସମୟରେ କଂଗ୍ରେସକୁ ମୋଟ ୪୨୫ଟି ଆସନରୁ ୨୬୯ଟି ଆସନ ମିଳିଥିଲା । ଏହାପରେ କୌଣସି ସରକାର ଥରକୁରୁ ଦୁଇଥର ପାଇଁ ଶାସନ କରିନଥିଲେ । କହିରଖୁଁ, ୨୦୧୭ ନିର୍ବାଚନରେ ମଧ୍ୟ ବିଜେପି ମୋଟ ୩୨୫ ଆସନ ଜିତି ବହୁମତ ହାସଲ କରିପାରିଥିଲା ।