ସୋସିଆଲ ମିଡିଆ ଛାଡିବେନି ମୋଦି: ଟୁଇଟ କରି କହିଲେ, ମହିଳାଙ୍କ ଯୋଗଦାନ ପାଇଁ ସମର୍ପିତ ହେବ ତାଙ୍କ ଆକାଉଂଟ; ମହିଳା ଦିବସରେ ପ୍ରେରଣା ଯୋଗାଇଥିବା ମହିଳାଙ୍କୁ ହେବ ସମର୍ପିିତ

363

କନକ ବ୍ୟୁରୋ: ସୋସିଆଲ ମିଡିଆ ଛାଡିବା ନେଇ ପ୍ରଧାନମନ୍ତ୍ରୀଙ୍କ ପୁୁଣି ଟୁଇଟ । କହିଲେ, ମହିଳାଙ୍କ ଯୋଗଦାନ ପାଇଁ ସମର୍ପିତ ହେବ ତାଙ୍କ ଆକାଉଂଟ । ମହିଳା ଦିବସରେ ପ୍ରେରଣା ଯୋଗାଇଥିବା ମହିଳାଙ୍କୁ ସମର୍ପିିତ ହେବ ବୋଲି ଟୁଇଟରେ କରିଛନ୍ତି ନରେନ୍ଦ୍ର ମୋଦି । ତେବେ ସୋସିଆଲ ମିଡ଼ିଆ ଛାଡିବେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ସୂଚନା ଦେଇଥିଲେ ।

ସୋସିଆଲ ମିଡିଆ ଛାଡିବେ କି ମୋଦି ? ତେବେ ସୋସିଆଲ ମିଡିଆରୁ ନିଜକୁ ଦୂରେଇ ରଖିବା ନେଇ ପ୍ରଧାନମନ୍ତ୍ରୀ ମୋଦି ନିଜ ଟୁଇଟରେ ପେଜରେ ସଂକେତ ଦେବା ପରେ ଏବେ ଚର୍ଚ୍ଚା ଜୋରଧରିଛି । କାହିଁକି ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ଥିବା ପ୍ରଧାନମନ୍ତ୍ରୀ ମୋଦି ହଠାତ୍ କାହିଁକି ଏଭଳି ନିଷ୍ପତି ନେଉଛନ୍ତି ତାକୁ ନେଇ ଆରମ୍ଭ ହୋଇଯାଇଛି ଅନେକ ଆଲୋଚନା । ତେବେ ପ୍ରାୟ ୧୬ ଘଂଟା ପରେ ଏହି ସସପେନ୍ସରୁ ପରଦା ଉଠାଇଛନ୍ତି ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ନିଜ ଟୁଇଟର ଆକାଉଂଟରେ ଏସଂପର୍କରେ ପୁଣି ଏକ ଲେଖା ପୋଷ୍ଟ କରି ମୋଦି କହିଛନ୍ତି ଯେ, ମହିଳା ଦିବସରେ ସେ ତାଙ୍କ ସୋସିଆଲ ମିଡିଆ ଆକାଉଂଟକୁ ସେହି ମହିଳାଙ୍କ ଉର୍ଦ୍ଦେଶ୍ୟରେ ଉତ୍ସର୍ଗ କରିବେ, ଯେଉଁମାନଙ୍କଠାରୁ ସେ ପ୍ରେରଣା ପାଇଛନ୍ତି ।

ବଡ଼ କଥା ହେଉଛି ଫେସ୍ବୁକରେ ମୋଦିଙ୍କର ଫଲୋଅରଙ୍କ ସଂଖ୍ୟା ହେଉଛି- ୪ କୋଟି ୪୫ ଲକ୍ଷ । ଟ୍ୱିଟରରେ ୫ କୋଟି ୩୩ ଲକ୍ଷ ଏବଂ ଇନଷ୍ଟାଗ୍ରାମରେ ୩ କୋଟି ୫୨ ଲକ୍ଷ ମୋଦିଙ୍କ ଫଲୋଅର ଅଛନ୍ତି । ସେହିଭଳି ଟ୍ୱିଟରରେ ଆମେରିକା ରାଷ୍ଟ୍ରପତି ଡୋନାଲ ଟ୍ରମ୍ପଙ୍କ ଫଲୋଅରଙ୍କ ସଂଖା ହେଉଛି ୭ କୋଟି ୩୨ ଲକ୍ଷ । ସେହିପରି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ଟ୍ୱିଟରରେ ଫଲୋଅର ସଂଖ୍ୟା ହେଉଛି ୧୧ କୋଟି ୩୩ ଲକ୍ଷ । ସାରା ଦୁନିଆରେ ସୋସିଆଲ ମିଡ଼ିଆରେ ତତ୍ପର ଥିବା ଏବଂ ଅଧିକ ଲୋକପ୍ରିୟ ଥିବା ଯେଉଁ ହାତ ଗଣତି ବ୍ୟକ୍ତି ଅଛନ୍ତି ସେମାନଙ୍କ ତାଲିକାର ଆଗ ଧାଡ଼ିରେ ଅଛନ୍ତି ଆମ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସିଏ ଫେସ୍ବୁକ୍ ହେଉ, ଟ୍ୱିଟର ହେଉ କିମ୍ବା ଇନଷ୍ଟାଗ୍ରାମ ଓ ୟୁ-ଟ୍ୟୁବ୍ ଭଳି ସାମାଜିକ ଗଣମାଧ୍ୟମ । ସବୁଠି ନରେନ୍ଦ୍ର ମୋଦିଙ୍କ ଫଲୋଅର ବା ଅନୁଗାମୀଙ୍କ ସଂଖ୍ୟା ବେଶ ଅଧିକ ।