କମିବ ଦିଲ୍ଲୀ-ଗୁରୁଗ୍ରାମ ଦୂରତା ସହ ଟ୍ରାଫିକ ସମସ୍ୟା । ବହୁ ପ୍ରତିକ୍ଷିତ ଦ୍ୱାରକା ଏକ୍ସପ୍ରେସ ୱେର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

125

କନକ ବ୍ୟୁରୋ : ଉଦଘାଟିତ ହେଲା ବହୁ ପ୍ରତିକ୍ଷିତ ଦ୍ୱାରକା ଏକ୍ସପ୍ରେସ । ୮ଲେନ ବିଶିଷ୍ଟ ଏହି ଏକ୍ସପ୍ରେସ-ୱେ ଦିଲ୍ଲୀ ଓ ଗୁରୁଗ୍ରାମ ମଧ୍ୟରେ ଯାତାୟକୁ ଖୁବ କମ ସମୟରେ ପୂରା କରାଯାଇପାରିବ । ଏଥିସହ ଟ୍ରାଫିକ ସମସ୍ୟା ଦୂର ହେବ । ଦ୍ୱାରକା ଏକ୍ସପ୍ରେସ ୱେରେ ଖର୍ଚ୍ଚ ହୋଇଛି ପୂରା ୪୧ ଶହ କୋଟି । ଏହା ଦେଶର ପ୍ରଥମ ଏଲିଭେଟେଡ ଅର୍ବାନ ଏକ୍ସପ୍ରେସ ୱେ । ପ୍ରଧାନମନ୍ତ୍ରୀ ମୋଦୀ ଦ୍ୱାରକା ଏକ୍ସପ୍ରେସ ୱେ ଉଦଘାଟନ କରିଛନ୍ତି । ୧୯ କିଲୋମିଟର ଦୀର୍ଘ ଏକ୍ସପ୍ରେସ ୱେ ଦିଲ୍ଲୀ ଅର୍ନ୍ତଜାତୀୟ ବିମାନବନ୍ଦରରୁ ଗୁରୁଗ୍ରାମ ବାଇପାସକୁ ସିଧା ସଂଯୋଗ କରିବ । ଉଦଘାଟନ ପରେ ସଭାକୁ ସମ୍ବୋଧିତ କରି ମୋଦୀ କହିଛନ୍ତି ୨୦୪୭ ସୁଦ୍ଧା ଦେଶ ବିଶାଳ ବିକଶିତ ଭାରତରେ ପରିଣତ ହେବ । ଯେଉଁ ଗତିରେ ଭାରତର ବିକାଶ ହେଉଛି ଖୁବ ଶିଘ୍ର ବିଶ୍ୱର ତୃତୀୟ ଅର୍ଥନୀତିର ଦେଶରେ ବଦଳିବ । ଏଥିସହ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ମୋଦୀ । ୧୦ବର୍ଷ ଭିତରେ ଦେଶର ଛବି ବଦଳିଛି କିନ୍ତୁ କଂଗ୍ରେସ ଓ ବିରୋଧୀଙ୍କ ବିଚାରଧାରା ବଦଳିନି । ଛୋଟ ମାନସିକତାର ଦଳ ଗୁଡିକ ପାଇଁ ବାଧା ସାଜିଛି ମୋଦୀ ସରକାରଙ୍କ ସଂକଳ୍ପ । ଦେଶର ବିକାଶକୁ ବିରୋଧୀ ସହିପାରୁନାହାଁନ୍ତି । ତେଣୁ ବିଜେପି ସରକାରଙ୍କୁ ବିରୋଧରେ ସମାଲୋଚନା କରୁଛନ୍ତି । ବିଜେପି ପ୍ରୟାସ, ସଫଳତା ଓ ଉପଲବ୍ଧିକୁ ଭୟ କରି ବୟାନବାଜୀ କରୁଛି ଇଣ୍ଡିଆ ମେଂଟ ।

ଦ୍ୱାରକା ଏକ୍ସପ୍ରେସ ୱେ ଉଦଘାଟନ କରିବା ପରେ ରୋଡ ଶୋ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଏହି ସମୟରେ ରାସ୍ତା ଦୁଇକଡରେ ଛିଡା ହୋଇଥିବା ପ୍ରଂଶସକ ଓ ସମର୍ଥକ ତଥା ନେତାମାନେ ଜୟ ଶ୍ରୀରାମ ସ୍ଲୋଗାନ ଦେଇ ମୋଦୀଙ୍କ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କାର ଭିତରୁ ହାତ ହଲାଇ ଅଭିବାଦନ ଗ୍ରହଣ କରିଥିଲେ । ରୋଡ ଶୋ କରିବା ପରେ ଦ୍ୱାରାକ ଏକ୍ସପ୍ରେସ ୱେରେ ନିୟୋଜିତ ଶ୍ରମିକଙ୍କୁ ମୋଦୀ ଭେଟିଥିଲେ । କାରରୁ ଓହ୍ଲାଇ ଶ୍ରମିକଙ୍କ ନିକଟରେ ପହଁଚି ସେମାନଙ୍କୁ ଧନ୍ୟବାଦ ଜଣାଇବା ସହ ଅକ୍ଲାନ୍ତ ପରିଶ୍ରମ ପାଇଁ ପ୍ରଂଶସା କରିଥିଲେ । ପ୍ରଧାନମନ୍ତ୍ରୀ ମୋଦୀ ସୋମବାର ଦିଲ୍ଲୀ ଓ ଗୁରୁଗାମରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ସଶକ୍ତ ନାରୀ ବିକଶିତ ଭାରତ କାର୍ଯ୍ୟକ୍ରମରେ ସାମିଲ ହେବା ସହ ହିତାଧିକାରୀଙ୍କୁ ଭେଟିଛନ୍ତି । ଚାଷ କାମକୁ ଅଧିକ ସହଜ ଓ ସୁବିଧାରେ କରିବା ପାଇଁ ଡ୍ରୋନର ବ୍ୟବହାର କରାଯାଉଛି । ଏହା ପାଇଁ ସରକାର ନମୋ ଡ୍ରୋନ ଦିଦି ଯୋଜନା ଆରମ୍ଭ କରିଛନ୍ତି । ୧୫ହଜାର ସ୍ୱୟଂ ସହାୟକ ମହିଳାଙ୍କୁ ଡ୍ରୋନ ଦିଆଯିବା ସହ ସେମାନଙ୍କୁ ସ୍ୱତନ୍ତ୍ର ତାଲିମ ମିଳୁଛି । ଚାଷ ଜମିରେ ଡ୍ରୋନ ବ୍ୟବହାର କରି ଚାଷ କାମକୁ ସରଳ କରିବା ଏହାର ମୂଳ ଲକ୍ଷ୍ୟ । ଆଜି ହିତାଧିକାରୀଙ୍କୁ ଭେଟି ଡ୍ରୋନ ପରିଚାଳନା ବାବାଦରେ ପ୍ରଧାନମନ୍ତ୍ରୀ ପଚାରିବୁଝିଛନ୍ତି । କେବଳ ସେତିକି ନୁହେଁ ଚାଷ ଜମିରେ ଡ୍ରୋନ କିଭଳି ବ୍ୟବହାର କରାଯାଉଛି ସେକଥା ଛିଡା ହୋଇ ଦେଖିଥିଲେ ମୋଦୀ ।