କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତରେ ଅଛନ୍ତି । ଜୁନ ୨୧ରୁ ତାଙ୍କର ଗସ୍ତ ୨୪ ତାରିଖ ଯାଏ ଚାଲିବ । ପ୍ରଧାନମନ୍ତ୍ରୀ ନିଜର ଏହି ଯାତ୍ରାରେ ଅନେକ ବ୍ୟକ୍ତିଙ୍କୁ ଭେଟିବାକୁ ଯାଉଛନ୍ତି । ମୋଦୀ ଆମେରିକା ଗସ୍ତରେ ଟେସଲା ସିଇଓ ଏଲନ ମସ୍କଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏହି ସମୟରେ ଉଭୟ ଭାରତରେ ଟେସଲାର କାରଖାନା ନିର୍ମାଣ ପ୍ରସଙ୍ଗରେ ଆଲୋଚନା କରିପାରନ୍ତି ।

Advertisment

ଏଲନ ମସ୍କ ସେହି ୨୪ ଜଣଙ୍କ ମଧ୍ୟରେ ସାମିଲ ଅଛନ୍ତି ଯେଉଁମାନଙ୍କ ସହ ମୋଦୀ କଥାହେବାକୁ ଯାଉଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅର୍ଥନୀତିଜ୍ଞ, କଳାକାର, ବୈଜ୍ଞାନିକଙ୍କ ରହିଛନ୍ତି ।

ଖବର ସରବରାହ ସଂସ୍ଥା ଏଏନଆଇର ରିପୋର୍ଟ ଅନୁସାରେ, ପ୍ରଧାନମନ୍ତ୍ରୀ ମୋଦୀ ନିଜର ଏହି ତିନି ଦିବସୀୟ ଯାତ୍ରା ବେଳେ ୨୪ ଜଣଙ୍କୁ ସାକ୍ଷାତ କରିବେ । ଏମାନଙ୍କ ସହ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ତାହ ସ୍ପଷ୍ଟ ହୋଇନାହିଁ । ସେପଟେ ଏଲନ ମସ୍କ ଟେସଲାକୁ ଭାରତକୁ ଆଣିବା ନେଇ ସଙ୍କେତ ଦେଇସାରିଛନ୍ତି । ତେବେ ଏଥିପାଇଁ ସ୍ଥିତି ଅନୁକୂଳ ହୋଇପାରିନାହିଁ । ଗତ ବର୍ଷ ତଥାକଥିତ ଭାବେ ଭାରତ କାର ଉପରେ ଲାଗୁଥିବା ଆମଦାନୀ ଶୁଳ୍କ ହ୍ରାସ କରିବା ନେଇ ଟେସଲାର ଅନୁରୋଧକୁ ଅଗ୍ରାହ୍ୟ କରିଦେଇଥିଲା । ଭାରତ ଚାହୁଁଛି ଟେସଲା ସ୍ଥାନୀୟସ୍ତରରେ ବାହନ ନିର୍ମାଣ କରୁ ।  ଟେସଲା କିନ୍ତୁ ଚାହୁଁଛି ପ୍ରଥମେ ଭାରତକୁ କାର ଆମଦାନୀ କରି ଏହାର ପରୀକ୍ଷା ନିରୀକ୍ଷା କରିବା ପାଇଁ ।