ଇଣ୍ଡିଆ ଗେଟ୍ ନିକଟରେ ଚମକିବ ନେତାଜୀଙ୍କ ପ୍ରତିମୂର୍ତ୍ତି, ହୋଲଗ୍ରାମ ପ୍ରତିମୂର୍ତ୍ତି ଅନାବରଣ କଲେ ପ୍ରଧାନମନ୍ତ୍ରୀ

142

କନକ ବ୍ୟୁରୋ : ଆଜି ଦେଶର ମହାନ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୫ ତମ ଜନ୍ମ ଦିବସ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ଇଣ୍ଡିଆ ଗେଟ ନିକଟରେ ନେତାଜୀଙ୍କର ଏକ ହୋଲଗ୍ରାମ ପ୍ରତିମୂର୍ତ୍ତିର ଅନାବରଣ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ୨୦୧୯, ୨୦୨୦, ୨୦୨୧, ୨୦୨୨ ବର୍ଷ ପାଇଁ ବିପର୍ଯ୍ୟୟ ପରିଚାଳନା ପୁରସ୍କାର ପ୍ରଦାନ କରିଛନ୍ତି ।

ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନେତାଜୀଙ୍କ ପ୍ରତି ଦେଶବାସୀଙ୍କ ତରଫରୁ ପ୍ରଣାମ ଜଣାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ କି ନେତାଜୀ କେବଳ ଦେଶକୁ ସ୍ୱାଧୀନ କରିବାରେ ବଡ ଭୂମିକା ଗ୍ରହଣ କରିନଥିଲେ ବରଂ ସାର୍ବଭୌମତା ଉପରେ ଦେଶବାସୀଙ୍କ ବିଶ୍ୱାସ ଜାଗ୍ରତ କରାଇଥିଲେ । ନେତାଜୀ ଆତ୍ମ ବିଶ୍ୱାସ ଓ ସାହସର ସହ ଯେଭଳି ଇଂଗ୍ରେଜମାନଙ୍କର ସାମ୍ନା କରିଥିଲେ ତାହା ଭାରତ ପାଇଁ ଗର୍ବ ଓ ଗୌରବ ।

 

କହିରଖୁ କି ଏହା ପୂର୍ବରୁ ରବିବାର ସକାଳେ ନେତାଜୀଙ୍କ ଜନ୍ମ ଜୟନ୍ତୀରେ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ନେତାଜୀଙ୍କ ଜନ୍ମଦିବସକୁ ‘ପରାକ୍ରମ ଦିବସ’ ଭାବେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ଅନ୍ୟପଟେ ଯେପର୍ଯ୍ୟନ୍ତ ନେତାଜୀଙ୍କ ଭବ୍ୟ ପ୍ରତିମା ନିର୍ମାଣ ସରିନାହିଁ ସେପର୍ଯ୍ୟନ୍ତ ଏହି ସ୍ଥାନରେ ହୋଲଗ୍ରାମ ପ୍ରତିମା ରହିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସୂଚନା ଥାଉକି ନେତାଜୀଙ୍କର ୨୮ ଫୁଟ ଉର୍ଚ୍ଚତାରେ ଏକ ଗ୍ରାନାଇଟ ପ୍ରତିମୂର୍ତ୍ତି ନିର୍ମାଣ ଚାଲିଛି । ଯାହାର କାରିଗର ସାଜିଛନ୍ତି ଓଡିଆ ମୂର୍ତ୍ତିକାର ଅଦବୈତ ଗଡନାୟକ ।