କନକ ବ୍ୟୁରୋ: ପବିତ୍ର ବିଜୟା ଦଶମୀରେ ଦେଶବାସୀଙ୍କୁ ବଡ ଉପହାର ଦେଇଛନ୍ତି ମୋଦୀ ସରକାର । ପ୍ରତିରକ୍ଷା ଉପକରଣ ପ୍ରସ୍ତୁତି କ୍ଷେତ୍ରରେ ଏଣିକି ଆତ୍ମନିର୍ଭର ହେବ ଭାରତ । ପ୍ରାୟ ୨ଶହ ବର୍ଷ ଧରି ଦେଶରେ ଥିବା ୪୧ଟି ଗୋଳାବାରୁଦ କାରଖାନାକୁ ମିଶାଇ ୭ଟି ବ୍ୟବସାୟିକ କମ୍ପାନି କରି ଦିଆଯାଇଛି । ଏଣିକି ସରକାରଙ୍କ ଦ୍ୱାରା ପରିଚାଳିତ ହେବେ ଏହି ୭ କର୍ପୋରେଟ୍ କମ୍ପାନି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଭିଡିଓ ବାର୍ତାରେ କହିଛନ୍ତି ଯେ, ନିଜସ୍ୱ ଉଦ୍ୟମରେ ବିଶ୍ୱରେ ସର୍ବବୃହତ ପ୍ରତିରକ୍ଷା ଶକ୍ତି ପାଲଟିବ ଭାରତ । ସ୍ୱାଧୀନତାର ୭୫ ବର୍ଷ ପରେ ପ୍ରଥମଥର ପାଇଁ ଦେଶର ପ୍ରତିରକ୍ଷା କ୍ଷେତ୍ରରେ ବଡ ଓ ଯୁଗାନ୍ତକାରୀ ସଂସ୍କାର ସବୁ କରାଯାଉଛି ।
ମୋଦୀ କହିଛନ୍ତି ଏଭଳି ବଡ ସଂସ୍କାର ପାଇଁ ୧୫- ୨୦ ବର୍ଷ ତଳୁ ନିଷ୍ପତି ହୋଇଥିଲେ ମଧ୍ୟ ତାହା ଅଟକି ରହିଥିଲା । ଆମ ପାଖରେ ଉତ୍ତମ ସଂପଦ ଥିଲା ଆଉ ବିଶ୍ୱସ୍ତରୀୟ ଦକ୍ଷତା ବି ରହିଥିଲା । ସ୍ୱାଧୀନତା ପରଠାରୁ ଗୋଳା ବାରୁଦ କାରଖାନା ଗୁଡିକର ଉନ୍ନତିକରଣ ଆବଶ୍ୟକ ହେଉଥିଲା । ତେଣୁ ଆଗାମୀ ଦିନରେ ଏହି ୭ କମ୍ପାନି ଭାରତ ସୈନ୍ୟ ଶକ୍ତିକୁ ବୃଦ୍ଧି କରିବେ ବୋଲି ମୋଦୀ ଆଶା ପ୍ରକାଶ କରିଛନ୍ତି ।
ଏଥିସହ ଦେଶରେ ଅର୍ଡିନାନ୍ସ ଫ୍ୟାକ୍ଟ୍ରି ବୋର୍ଡକୁ ଭଙ୍ଗ କରିଦେଇଛନ୍ତି ମୋଦୀ ସରକାର । ଏହା ବଦଳରେ ୭ଟି କମ୍ପାନି ଗଠନ ହୋଇଛି । ଯାହାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି । ତେବେ କର୍ମଚାରୀମାନଙ୍କୁ ଛଟେଇ କରାଯିବ ନାହିଁ କିନ୍ତୁ ସେମାନେ ବିକ୍ଷୋଭ କରିପାରିବେ ନାହିଁ ବୋଲି ନିୟମ ରଖାଯାଇଛି । କମ୍ପାନିଗୁଡିକ ଭାରତୀୟ ପ୍ରତିରକ୍ଷାକୁ ଅଧିକ ସଶକ୍ତ କରିବା ପାଇଁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ସବୁ ପ୍ରସ୍ତୁତ କରିବେ । ଆଜିର କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସହିତ ଏହି କମ୍ପାନି ସହ ସଂପର୍କିତ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/09/modi.jpg)