ଜମ୍ମୁକାଶ୍ମୀର ସ୍ଥିତି ନେଇ ଆଜି ସର୍ବଦଳୀୟ ଆଲୋଚନା : ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ

175

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରକୁ ନେଇ ଆଜି ହେବ ବଡ ନିଷ୍ପତି । ଏଥିପାଇଁ ୮ଟି ଭିନ୍ନଭିନ୍ନ ରାଜନୈତିକ ଦଳର ପ୍ରାୟ ୧୪ ଜଣ ନେତାଙ୍କ ସହ ଆଲୋଚନା କରିବେ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଆଜି ଅପରାହ୍ନ ୩ଟାରେ ଏହି ବୈଠକ ବସିବ । ଜମ୍ମୁ-କାଶ୍ମୀରରୁ ରାଷ୍ଟ୍ରପତି ଶାସନ ହଟାଇବା ସହ ରାଜ୍ୟ ମାନ୍ୟତା ପ୍ରଦାନ ନେଇ ଏହି ବୈଠକରେ ଆଲୋଚନା ହେବ ବୋଲି ଜଣାପଡିଛି । ଖୁବଶୀଘ୍ର ଏଠାରେ ବିଧାନସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାକୁ ପଦକ୍ଷେପ ନେଇପାରନ୍ତି କେନ୍ଦ୍ର ସରକାର ।

– ଜମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବା ନେଇ ରାଜନୈତିକ ଦଳଗୁଡିକ ସହ ଆଲୋଚନା କରିପାରନ୍ତି କେନ୍ଦ୍ର ସରକାର
– ବିଜେପି-ପିଡିପି ମେଂଟ ସରକାର ଭାଙ୍ଗିଯିବା ପରେ ୨୦୧୮ରୁ ଜମ୍ମୁ-କାଶ୍ମୀରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି
– ମେହବୁବା ମୁଫତି ଏବଂ ଓମାର ଅବଦୁଲ୍ଲାଙ୍କ ସମେତ ୮ଟି ରାଜନୈତିକ ଦଳର ପ୍ରାୟ ୧୪ ଜଣ ନେତା ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବା ସମ୍ଭାବନା ରହିଛି
– ୭ଟି ରାଜନୈତିକ ଦଳକୁ ନେଇ ଗଠିତ ‘ଗୁପକାର’ ମେଂଟ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ହେବାକୁ ଥିବା ବୈଠକରେ ଯୋଗଦେବେ
– ଜମ୍ମୁ-କାଶ୍ମୀରକୁ ରାଜ୍ୟ ମାନ୍ୟତା ଏହାର ପ୍ରାଥମିକତା ହୋଇଥିବାରୁ ବୈଠକରେ କଂଗ୍ରେସ ମଧ୍ୟ ସାମିଲ ହେବାକୁ ସମ୍ମତି ଜଣାଇଛି
– ୨୦୧୯ ଅଗଷ୍ଟରେ ଜମ୍ମୁ-କାଶ୍ମୀର ବିଭାଜନ ପରେ କେନ୍ଦ୍ର ସରକାର ପ୍ରଥମଥର ଲାଗି ରାଜନୈତିକ ଦଳଗୁଡିକ ସହ ଆଲୋଚନା କରୁଛନ୍ତି
– ଏହା ପୂର୍ବରୁ ଗତ ଶୁକ୍ରବାର ଦିନ ଏନଏସଏ ଅଜିତ ଡୋଭାଲ, ଜମ୍ମୁ-କାଶ୍ମୀର ଉପରାଜ୍ୟପାଳ ମନୋଜ ସିହ୍ନା ଓ ଟପ୍ ଗୁଇନ୍ଦା ଅଧିକାରୀଙ୍କୁ ଭେଟିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ
– କରୋନା କାଳରେ ଘାଟିରେ ଆତଙ୍କବାଦୀ କାର୍ଯ୍ୟକଳା କମିଯାଇଥିବାରୁ ଏବେ ରାଜନୈତିକ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଉପଯୁକ୍ତ ସମୟ ବୋଲି କହିଛି କେନ୍ଦ୍ର ଗୃହ ମନ୍ତ୍ରାଳୟ
– ୨୦୧୯ ଲୋକସଭା ନିର୍ବାଚନ ସହ ଏଠାରେ ବିଧାନସଭା ନିର୍ବାଚନ କରାଇବାକୁ ଯୋଜନା ଥିଲା । ହେଲେ ସୁରକ୍ଷା ଦୃଷ୍ଟିରୁ ଏଥିପାଇଁ ଅନୁମତି ଦେଇନଥିଲେ ନିର୍ବାଚନ କମିଶନ୍
– ଗତ ଡିସେମ୍ବରରେ ଏଠାରେ ହୋଇଥିବା ପଂଚାୟତ ନିର୍ବାଚନରେ ଗୁପକାର ମେଂଟ ୧୧୦ ଓ ବିଜେପି ୭୪ଟି ଆସନରେ ବିଜୟୀ ହୋଇଥିଲେ