କରୋନାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଟ୍ୱିଟ୍…ଆଜି ରାତି ୮ଟାରେ ସାରା ଦେଶକୁ ପୁଣି ଥରେ ସମ୍ବୋଧିତ କରିବେ ମୋଦି

1,329

କନକ ବ୍ୟୁରୋ: ଆଜି କରୋନା ନେଇ ସାରା ଦେଶକୁ ପୁଣି ଥରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାତି ୮ଟାରେ ସମ୍ବୋଧିତ କରିବା ନେଇ ଟୁଇଟ କରି ସୂଚନା ଦେଇଛନ୍ତି । ତେବେ ମୋଦି କୌଣସି ଏକ ବଡ଼ ଘୋଷଣା କରିବାର ସମ୍ଭାବନା ମୋଦି । ଏହା ପୂର୍ବରୁ ଗତ ଗୁରୁବାର ଦେଶବାସୀଙ୍କୁ ସମ୍ବୋଧିତ କରି ପୁରା ଦେଶରେ ଜନତା କର୍ଫ୍ୟୁ ଲାଗି କରିଥିଲେ । ରବିବାର ଦିନ କେହି ବି ଘରୁ ନବାହାରିବାକୁ ପରାମର୍ଶ ଦେଇଥିଲେ । ଏହାକୁ ମଧ୍ୟ ପୂର୍ଣ୍ଣ ମାତ୍ରାରେ ସଫଳ ମିଳିଥିଲା । ତେବେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ମୋଦି ଆଜି ଏନେଇ କିଛି ବଡ଼ ଘୋଷଣା କରିବାର ସମ୍ଭାବନା ରହିଛି ।

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୯୮ରେ ପହଁଚିଛି । ଗତ ୩ ଦିନ ଭିତରେ ଦେଶରେ ୨୪୬ ଜଣ ଆକ୍ରାନ୍ତ ହୋଇଛନ୍ତି । ଯାହାକି ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟାର ଅଧା । ତେବେ ସ୍ୱସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ୪୭୮ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ଦିଆଯାଇଛି । ସେମାନଙ୍କ ମଧ୍ୟରୁ ୪୦ଜଣ ବିଦେଶୀ ରହିଥିବା କୁହାଯାଇଛି । ଏବଂ ଏମାନଙ୍କ ମଧ୍ୟରୁ ୩୫ ଜଣ ସୁସ୍ଥ ହୋଇ ଫେରିଥିବା ନେଇ ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ସଂକ୍ରମଣରେ ୯ ଜଣଙ୍କର ମୃତ୍ୟୁ ହୋଇଛି ।

ଏପଟେ ଓଡିଶାରେ ବର୍ତମାନ ସୁଦ୍ଧା ୮୫ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୮୩ଟି ନମୁନା ନେଗେଟିଭ ଆସିଛି । ଏବଂ ଚିକିତ୍ସିତ ହେଉଥିବା ୨ଜଣଙ୍କର ଅବସ୍ଥା ଭଲ ରହିଛି । ସେପଟେ ବିଶ୍ୱର ୧୯୨ଟି ଦେଶକୁ ଏହି ମହାମାରୀ ବ୍ୟାପିଲାଣି । ବିଶ୍ୱବ୍ୟାପି ୩ ଲକ୍ଷ ୬୮ ହଜାର ୫୪୩ଜଣ ଭାଇରସରେ ଆକ୍ରାନ୍ତ ହୋଇଥିବାବେଳେ ୧୬ହଜାରରୁ ଉର୍ଦ୍ଧ ଲୋକଙ୍କର ମୃତ୍ୟୁ ହୋଇଛି । ଇଟାଲୀରେ ମୃତ୍ୟୁ ସଂଖ୍ୟା ୬ହଜାର ଟପିଥିବାବେଳେ ସ୍ପେନରେ ୨୨ଶହ ଓ ଆମେରିକାରେ ୪ଶହ ଟପିଛି ।