ଆଉ କିଛି ସମୟ ପରେ ଦେଶ ଉଦ୍ଦେଶ୍ୟରେ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ସବୁଠୁ ବଡ ପ୍ରଶ୍ନ, ପୁଣି ବଢ଼ିବ କି ତାଲା ବନ୍ଦ, କେଉଁ କଟକଣା କୋହଳ କରିବେ ମୋଦି?  ଅର୍ଥନୀତି ଉପରେ କଣ ରହିବ ଆଭିମୁଖ୍ୟ , ପ୍ରବାସୀ ଶ୍ରମିକଙ୍କ ଉପରେ କଣ କହିବେ ମୋଦି ?

471

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦି କଣ କହିବେ ? ତାଲାବନ୍ଦ ଅବଧି ପୁଣି ବଢିବ କି? ଆସନ୍ତା ମେ ୧୭ତାରିଖରେ ତୃତୀୟ ପର୍ଯ୍ୟାୟ ତାଲାବନ୍ଦ ଶେଷ ହେଉଛି । କରୋନା ବ୍ୟାପିବା ପରେ ଆଜି ପଂଚମ ଥର ପାଇଁ ପ୍ରଧାନମନ୍ତ୍ରୀ ମୋଦି ଦେଶକୁ ସମ୍ବୋଧିତ କରିବେ । ରାତି ୮ଟାରେ ଆଉ କିଛି ସମୟ ପରେ ମୋଦି ଦେଶବାସୀଙ୍କୁ କଣ କହିବେ ତାକୁ ନେଇ ଅନେକ ଉକ୍ରଣ୍ଠା ରହିଛି । ପୁଣି ତାଲାବନ୍ଦ ବଢାଇବାକୁ କେନ୍ଦ୍ର ସରକାର ନିଷ୍ପତି ନେବେ କି, ଏଭଳି ପ୍ରଶ୍ନ ଏବେ ଚାରିଆଡେ ଉଙ୍କି ମାରୁଛି ।

ଗତକାଲି ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ମାନଙ୍କ ସହ କଥା ହୋଇଛନ୍ତି । ୬ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ତାଲାବନ୍ଦ ଅବଧି ବଢାଇବା ସପକ୍ଷରେ ଯୁକ୍ତି ବାଢିଛନ୍ତି । ତେଲେଙ୍ଗାନା, ବିହାର, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଆସାମ ଓ ପଂଜାବ ତାଲାବନ୍ଦ ବଢାଇବା ସପକ୍ଷରେ ଯୁକ୍ତି ବାଢିଛନ୍ତି । ମିଳିଥିବା ସୂଚନା ଅନୁସାରେ ତାଲାବନ୍ଦ ଅବଧି ବଢାଇ ପାରନ୍ତି କେନ୍ଦ୍ର ସରକାର । ତେବେ କିଛି କଟକଣା କୋହଳ ହୋଇପାରେ । ପ୍ରଧାନମନ୍ତ୍ରି, ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା ବେଳେ ଏଭଳି ସଙ୍କେତ ଦେଇଥିବା ରିପୋର୍ଟ, ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ସେପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ବାରମ୍ବାର ତାଲାବନ୍ଦ ବଢାଇବା ସପକ୍ଷରେ ଯୁକ୍ତି ବାଢିଛି । ଯେଉଁ ଦେଶ ଗୁଡିକ ତାଲାବନ୍ଦ ହଟାଇବାକୁ ନିଷ୍ପତି ନେଉଛନ୍ତି ସେମାନେ ସତର୍କ ରହିବାର ଆବଶ୍ୟକତା ଅଛି ବୋଲି ଚେତାବନୀ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଗୋଟିଏ ପଟେ ତାଲାବନ୍ଦ ସାରା ଦେଶରେ ରୋଜଗାର ଓ ଅର୍ଥନୀତିର ଅବସ୍ଥାକୁ ସାଙ୍ଘାତିକ କରିଦେଇଥିବା ବେଳେ ଏବେ ପୁଣି କେନ୍ଦ୍ର ସରକାର କଣ ନିଷ୍ପତି ନେବେ ତା ଉପରେ ସମସ୍ତଙ୍କ ନଜର ରହିଛି ।

ତେବେ ଗତ ଏପ୍ରିଲ ୧୪ ତାରିଖରେ ଶେଷଥର ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ । ପ୍ରଥମେ ମାର୍ଚ ୧୯ ତାରିଖରେ  ଦେଶକୁ ସମ୍ବୋଧନ କରି ମାର୍ଚ ୨୨ରେ ଜନତା କର୍ଫ୍ୟୁ ପାଳନ କରିବାକୁ ଆହ୍ୱାନ ଦେଇଥିଲେ । ଏହାପରେ ମାର୍ଚ ୨୪ ତାରିଖରେ ୨୧ ଦିନିଆ ତାଲାବନ୍ଦ ଘୋଷଣା କରିଥିଲେ ମୋଦି ।ପରେ ପୁଣି ଏପ୍ରିଲ ୧୪ ତାରିଖରେ ତାଲାବନ୍ଦକୁ ସେ ମେ ୩ ତାରିଖ ଯାଏଁ ବଢାଇ ଦେଇଥିଲେ । ପରେ ପୁଣି ମେ ୧୭ ତାରିଖ ପର୍ଯ୍ୟନ୍ତ ତାଲାବନ୍ଦ ବଢିଥିଲା ।