ବିରୋଧୀଙ୍କ ଉପରେ ବର୍ଷିଲେ ପ୍ରଧାନମନ୍ତ୍ରୀ । କହିଲେ, କିଛି ପ୍ରସଙ୍ଗରେ କରାଯାଉଛି ମାନବଧିକାର ଉଲ୍ଲଘଂନ 

175

କନକ ବ୍ୟୁରୋ: ଏନଏଚଆରସିର ୨୮ତମ ପ୍ରତିଷ୍ଠା ଦିବସରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କାହାର ନାମ ନ ନେଇ ମୋଦି କହିଛନ୍ତି,  କିଛି ପ୍ରସଙ୍ଗରେ  ବିରୋଧୀଙ୍କ ମାନବ ଅଧିକାରର ଉଲ୍ଲଙ୍ଘନ ହେଉଥିବା  ଦେଖାଯାଉଛି । କିନ୍ତୁ ଅନ୍ୟ କିଛି ପ୍ରସଙ୍ଗରେ ଏଭଳି କିଛି ଦେଖାଯାଉନାହିଁ । ଏଭଳି ସିଲେକ୍ଟିଭ ଆପ୍ରୋଚ ଗଣତନ୍ତ୍ର ପ୍ରତି ବିପଦ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ମାନବାଧିକାର ଉଲଂଘନ କଥା ଉଠାଉଥିବା ବିରୋଧୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏନଏଚଆରସିର ୨୮ତମ ପ୍ରତିଷ୍ଠା ଦିବସରେ ବିରୋଧୀଙ୍କୁ ଟାର୍ଗେଟ କରି ମୋଦୀ କହିଛନ୍ତି କିଛି ଲୋକ ରାଜନୈତିକ ଫାଇଦା ପାଇଁ ମାନବାଧିକାର ଉଲଂଘନ କଥା ଉଠାଇଥାନ୍ତି । ଏଭଳି ଲୋକଙ୍କଠାରୁ ସାବଧାନ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, କିଛି ଲୋକ ରାଜନୈତିକ ଉଦ୍ଦେଶ୍ୟ ସାଧନ କରିବାକୁ ମାନବ ଅଧିକାର ନାଁରେ ଅନ୍ତର୍ଜାତୀୟ ସ୍ତରରେ ଭାରତର ଛବି ଖରାପ କରୁଛନ୍ତି । ଭର୍ଚୁଆଲ ମୋଡରେ ଦିଲ୍ଲୀରେ ଆୟୋଜିତ ବୈଠକକୁ ସମ୍ବୋଧନ କରି ମୋଦୀ କହିଛନ୍ତି, ଦେଶରେ ମାନବ ଅଧିକାରର ସୁରକ୍ଷା ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ସେପଟେ ପ୍ରଧାନମନ୍ତ୍ରୀଙ୍କ ଏଭଳି ବୟାନ ଆସିବା ପରେ ବିରୋଧୀ ମଧ୍ୟ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ଏନଏଚଆରସିର ୨୮ତମ ପ୍ରତିଷ୍ଠା ଦିବସରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମାନବାଧିକାରକୁ ନେଇ ରାଜନୀତି ହେଉଥିଲେ ମଧ୍ୟ ପଛୁଆ ବର୍ଗର ଲୋକଙ୍କୁ ଅଧିକାର ଓ ସମ୍ମାନ ଯୋଗାଇ ଦେବାରେ ଏନଏଚଆରସି କର୍ମି ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛନ୍ତି ।