ମୋଦି, ମହାନଦୀ ଓ ସରକାର: ମହାନଦୀକୁ ନେଇ ରାଜ୍ୟ ସରକାରଙ୍କ ଉପରକୁ ଦୋଷ ଠେଲିଲେ ମୋଦି । କହିଲେ, ସମୁଦ୍ରକୁ ବହିଯାଉଛି ମହାନଦୀ ପାଣି

27

କନକ ବ୍ୟୁରୋ: ମହାନଦୀକୁ ନେଇ ମହାବିବାଦ ମଧ୍ୟରେ ଶନିବାର କଟକ ଜନକଲ୍ୟାଣ ସମାବେଶରୁ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି କେନ୍ଦ୍ର, ମହାନଦୀ ବିବାଦର ସମାଧାନ ପାଇଁ ଉଦ୍ୟମ କରୁଥିବା ବେଳେ ରାଜ୍ୟ ପଛଘୁଂଚା ଦେଉଛି । ମହାନଦୀ ପାଣି ଚାଷୀଙ୍କ କାମରେ ଲାଗିପାରୁନାହିଁ । ଅଧିକାଂଶ ଜଳ ସମୁଦ୍ରକୁ ଯାଇ ବ୍ୟର୍ଥ ହେଉଛି । ବହୁ ଜଳସେଚନ ପ୍ରକଳ୍ପ ଆଜିଯାଏଁ ପଡିରହିଛି ।

ବହୁ ଚର୍ଚ୍ଚିତ ମହାନଦୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଥିଲେ, ମହାନଦୀର ଅଧାରୁ ଅଧିକ ପାଣି ବଙ୍ଗୋପସାଗରରେ ପଡୁଛି ବୋଲି ରାଜ୍ୟ ସରକାର ବିଧାନସଭାରେ ତଥ୍ୟ ରଖିଥିଲେ। ପରବର୍ତ୍ତୀ ସମୟରେ ମହାନଦୀ ବିବାଦ ସମାଧାନ ପାଇଁ କେନ୍ଦ୍ର ସରକାର ଉଦ୍ୟମ କଲାବେଳେ ରାଜ୍ୟ ସରକାର ସେଥିରେ ପଛଘୁଞ୍ଚା ଦେଲେ। କେନ୍ଦ୍ର ଜଳସଂପଦ ମନ୍ତ୍ରୀ ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ବି ସେଥିରେ ସହଯୋଗ ମିଳିଲା ନାହିଁ। ୧୮ ବର୍ଷ ଭିତରେ ରାଜ୍ୟ ସରକାର ସବୁ କ୍ଷେତକୁ ପାଣି ପହଞ୍ଚାଇ ପାରି ନାହାନ୍ତି। ମହାନଦୀ ବ୍ୟତୀତ ଅନ୍ୟ ୫ଟି ନଦୀର ପାଣିର ବି ଉଚିତ ବ୍ୟବହାର କରି ପାରି ନାହାନ୍ତି। ୨୦ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ଲୋୟର୍ ଇନ୍ଦ୍ର ଜଳସେଚନ ପ୍ରକଳ୍ପର ସ୍ଥିତି କ’ଣ ରାଜ୍ୟ ସରକାର ସେ ଜବାବ ରଖିବେ କି ବୋଲି ଶ୍ରୀ ମୋଦି ପ୍ରଶ୍ନ କରିବା ସହ ୮ଟି ସିଞ୍ଚାଇ ପରିଯୋଜନାର ସ୍ଥିତିକୁ ନେଇ ମଧ୍ୟ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଥିଲେ। ଦେଶରେ ୯୯ଟି ସିଞ୍ଚାଇ ପରିଯୋଜନାରେ କେନ୍ଦ୍ର ସରକାର ୮୦ ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ଶ୍ରୀ ମୋଦି ସୂଚନା ଦେଇଥିଲେ।

ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ଉତ୍କଳ ଗୌରବ ମଧୁସୂଦନ ଦାସ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, କର୍ମବୀର ଗୌରୀଶଙ୍କର ରାୟ, ଉତ୍କଳମଣି ଗୋପବଂଧୁ ଦାସ, ଉତ୍କଳ କେଶରୀ ଡକ୍ଟର ହରେକୃଷ୍ଣ ମହତାବ, ବାଗ୍ମୀ ବିଶ୍ୱନାଥ କର, ମଧୁସୂଦନ ରାଓ, ରାଧାନାଥ ରଥ ଓ ରମାଦେବୀଙ୍କ ନାମ ଉଲ୍ଲେଖ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଜଗନ୍ନାଥଙ୍କ ମାଟିର ସ୍ୱତନ୍ତ୍ରତା ରହିଛି। ଏହି ମାଟିରୁ ଆରମ୍ଭ ହୋଇଥିବା ଅଭିଯାନ କେବେ ବିଫଳ ହେବ ନାହିଁ ବୋଲି ଶ୍ରୀ ମୋଦି କହିବା ସହ ମଜବୁତ ରାଷ୍ଟ୍ର ନିର୍ମାଣର ମହାଯଜ୍ଞରେ ଆହୂତି ଦେବାକୁ ସେ ପ୍ରସ୍ତୁତ ହୋଇ ଚାଲିଛନ୍ତି; ୪ ବର୍ଷ ନୁହେଁ, ଆଗକୁ ଅନେକ ଲମ୍ବା ବାଟ ଯିବାର ଅଛି ବୋଲି କହି ନିଜର ବକ୍ତବ୍ୟ ଶେଷ କରିଥିଲେ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ବକ୍ତବ୍ୟ ପରେ ପ୍ରତିକ୍ରିୟା ରଖିଛି ବିଜେଡି । ଦଳୀୟ ମୁଖପାତ୍ର ତଥା ସାଂସଦ ପ୍ରତାପ ଦେବ ଛତିଶଗଡ ମହାନଦୀ ପାଣି ଅଟକାଇବା ପ୍ରସଙ୍ଗରେ କିଛି କହିନଥିବାରୁ ସମାଲୋଚନା କରିଛନ୍ତି । ଏହା ସହ ରାଜ୍ୟ ସରକାର ବିଜେପି ଶାସିତ ରାଜ୍ୟଠାରୁ କେଉଁ ଗୁଣରେ କମ୍ ସ୍ପଷ୍ଟ କରିବାକୁ ମତ ଦେଇଛନ୍ତି । ସେପଟେ ବହୁ ମିଛ କଥା କହି ପ୍ରଧାନମନ୍ତ୍ରୀ ଚାଲିଗଲେ ବୋଲି କହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ସେ କହିଛନ୍ତି ରାଜ୍ୟବାସୀଙ୍କୁ ନିରାଶ କରିଛନ୍ତି ମୋଦି ।