ନିମନ୍ତ୍ରଣ ରଖିଲେ ପ୍ରଧାନମନ୍ତ୍ରୀ : ରିକ୍ସା ଚାଳକଙ୍କ ପାଖକୁ ଚିଠି ପଠାଇଲେ ପ୍ରଧାନମନ୍ତ୍ରୀ

476

ରିକ୍ସା ଚାଳକଙ୍କ ଝିଅ ବାହାଘରରେ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା । ପ୍ରଧାନମନ୍ତ୍ରୀଙ୍କ ଠାରୁ ଶୁଭେଚ୍ଛାପତ୍ର ମିଳିବା ପରେ ରିକ୍ସା ଚାଳକ ଜଣକ ଖୁସିରେ ଆତ୍ମହରା ହୋଇପଡିଥିଲେ । ଏପରିକି ଝିଅର ବାହାଘରରେ ଆସିଥିବା ସମସ୍ତ ଅତିଥିଙ୍କୁ ଜଣ ଜଣ କରି ମୋଦିଙ୍କର ଏହି ଶୁଭେଚ୍ଛା ପତ୍ରକୁ ଦେଖାଇଥିଲେ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରଣାସୀରେ । ପ୍ରଧାନମନ୍ତ୍ରୀ ମୋଦି ବାରଣାସୀର ଡୋମରୀ ନାମକ ଏକ ଗାଁକୁ ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି । ଆଉ ଏହି ଗାଁରେ ରହୁଥିବା ଜଣେ ରିକ୍ସା ଚାଳକ ହେଉଛନ୍ତି ମଙ୍ଗଳ କେଓ୍ବଟ । ନିକଟରେ ତାଙ୍କ ଝିଅର ବାହାଘର ଥିଲା । ତେଣୁ ଗାଁର କିଛି ଲୋକ ତାଙ୍କୁ ପରାମର୍ଶ ଦେଇଥିଲେ ମୋଦିଙ୍କୁ ଝିଅ ବାହାଘରର ନିମନ୍ତ୍ରଣ ପତ୍ର ପଠାଇବାକୁ । ମଙ୍ଗଳ ଝିଅର ବାହାଘର ନିମନ୍ତ୍ରଣ ପତ୍ର ପ୍ରଧାନମନ୍ତ୍ରୀଙ୍କୁ ପଠାଇଥିଲେ । ଗୋଟିଏ ନିମନ୍ତ୍ରଣ ପତ୍ର ଦିଲ୍ଲୀର ଓ ଅନ୍ୟଟି ବାରଣାସୀରେ ଥିବା ବିଜେପି କାର୍ଯ୍ୟାଳୟକୁ ପଠାଇଥିଲେ । ଏହାପରେ ମଙ୍ଗଳଙ୍କ ଝିଅ ବାହାଘରର କିଛି ଘଣ୍ଟା ପୂର୍ବରୁ ଅର୍ଥାତ ଗୁରୁବାର ଦିନ ମୋଦିଙ୍କ ପକ୍ଷରୁ ଶୁଭକାମନା ପତ୍ର ଆସିଥିଲା । ମୋଦିଙ୍କ ପାଖରୁ ଝିଅ ବାହାଘରରେ ଶୁଭେଚ୍ଛାପତ୍ର ପାଇବା ପରେ ମଙ୍ଗଳଙ୍କ ପରିବାର ଲୋକଙ୍କ ଭିତରେ ଖୁସିର ଲହରି ଖେଳିଯାଇଥିଲା ।

ମଙ୍ଗଳଙ୍କ କହିବା ଅନୁସାରେ, “ଆମର ଗାଁକୁ ମୋଦି ପୋଷ୍ୟ ଭାବରେ ଗ୍ରହଣ କରିଛନ୍ତି । ଝିଅର ବାହାଘରକୁ ଆସିବାକୁ ମୁଁ ସାରା ଗାଁ ଲୋକଙ୍କୁ ନିମନ୍ତ୍ରଣ କରିଥିଲି । ମୋର କିଛି ସାଙ୍ଗ କହିଥିଲେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ ପତ୍ର ପଠାଇବାକୁ । ମୁଁ ଏହାପରେ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ପତ୍ର ପଠାଇଥିଲି । କିନ୍ତୁ ପ୍ରଧାନମନ୍ତ୍ରୀ ନିକଟରୁ ଯେତେବେଳେ ଶୁଭେଚ୍ଛାପତ୍ର ଆସିଥିଲା ଆମେ ବିଶ୍ବାସ କରିପାରିନଥିଲୁ । ଏହାକୁ ପାଇବା ପରେ ସମ୍ପର୍କୀୟ ଏବଂ ପରିବାର ଲୋକଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଏପରିକି ବାହାଘରକୁ ଆସିଥିବା ଅତିଥିଙ୍କୁ ମୁଁ ମୋଦିଙ୍କ ଦ୍ବାରା ପଠାଯାଇଥିବା ଶୁଭେଚ୍ଛାପତ୍ର ଦେଖାଇଥିଲି ।“ ରିକ୍ସା ଚାଳକ ମଙ୍ଗଳ ଗଙ୍ଗାମାତାଙ୍କ ବଡ ଭକ୍ତ ଓ ନିଜର ରୋଜଗାରର ଏକ ଅଂଶ ସେ ଗଙ୍ଗାନଦୀରେ ପୂଜା ପାଠ ଓ ସଫେଇରେ ଖର୍ଚ୍ଚ କରିଥାନ୍ତି । ଏହାଛଡା ସେ ସ୍ବଇଛାରେ ବାରଣାସୀରେ ଥିବା ମହାପୁରୁଷଙ୍କ ପ୍ରତିମାକୁ ସ୍ନାନ କରିବା କାମ କରିଥାନ୍ତି । ସେ ସ୍ବଚ୍ଛ ଭାରତ ଅଭିଯାନରେ ଖୁବ୍ ସକ୍ରିୟ ଅଂଶଗ୍ରହଣ କରିଥିଲେ । ସେ ବନାରସ ରାଜଘାଟରେ ସେ ରୁହନ୍ତି । ସଦସ୍ୟତା ଅଭିଯାନ ସମୟରେ ମୋଦି ତାଙ୍କୁ ବିଜେପିର ସଦସ୍ୟ କରିଥିଲେ । ଗତ ବର୍ଷ ସେ ରିକ୍ସା ଚଳାଇ ମୋଦିଙ୍କୁ ଦେଖା କରିବାକୁ ଦିଲ୍ଲୀ ଜିଲ୍ଲାଅଧିକାରୀଙ୍କୁ ଅନୁମତି ମାଗିବାକୁ ଯାଇଥିଲେ ।