କନକ ବ୍ୟୁରୋ : ମଣିପୁର ଘଟଣାକୁ ନେଇ ସଂସଦର ଉଭୟ ଗୃହରେ ବିରୋଧୀମାନେ ହଟ୍ଟଗୋଳ କରୁଛନ୍ତି । ଏହାରି ମଧ୍ୟରେ ସଂସଦ ବୈଠକକୁ ସୋମବାର ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ଏହି କ୍ରମରେ ବିରୋଧୀ ସାଂସଦମାନେ ମଣିପୁର ହିଂସାକୁ ନେଇ ଜବାବ୍ ମାଗୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି କି ମଣିପୁର ଘଟଣା ଉପରେ ଚର୍ଚ୍ଚା କରିବାକୁ ପ୍ରଧାନମନ୍ତ୍ରୀ ପ୍ରସ୍ତୁତ ଅଛନ୍ତି । ଏବେ ବାଚସ୍ପତି ଏହି ପ୍ରସଙ୍ଗରେ ଚର୍ଚ୍ଚା କରିବାକୁ କେବେ ସମୟ ସ୍ଥିର କରିବେ ତାହା ତାଙ୍କ ଉପରେ ନିର୍ଭର କରେ ବୋଲି ସେ କହିଛନ୍ତି ।

Advertisment

କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋଏଲ ବିରୋଧୀ ମେଣ୍ଟ ଦ୍ୱାରା ଉପସ୍ଥାପନ କରାଯାଇଥିବା ଅବିଶ୍ୱାସ ପ୍ରସ୍ତାବ ଉପରେ କହିଛନ୍ତି ଯେ ସଂସଦରେ ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ସାଂସଦ ରହିଛନ୍ତି ତେଣୁ ଏସବୁ କଥାରେ ବିରୋଧୀ ମୁଣ୍ଡ ନପୁରାଇ କିଭଳି ସଂସଦରେ ଉଭୟ ସାଂସଦଙ୍କ ମଧ୍ୟରେ ସହଯୋଗ କରି ସଂସଦ ଚଳାଇବା ନେଇ ଚିନ୍ତା କରିବା ଦରକାର । ଆମେ ମଣିପୁର ପ୍ରସଙ୍ଗରେ ଚର୍ଚ୍ଚା କରିବାକୁ ସର୍ବଦଳୀୟ ବୈଠକ ଡାକିଥିଲୁ । ହେଲେ ବିରୋଧୀମାନେ ବୈଠକକୁ ନଆସି ସଂସଦରେ ହଟ୍ଟଗୋଳ କରିବା ଦ୍ୱାରା ସଂସଦୀୟ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା କଥା ପିୟୂଷ ଗୋଏଲ କହିଛନ୍ତି ।

ସେପଟେ ଲୋକସଭାରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଖଣି ଓ ଖଣିଜ ପଦାର୍ଥ ସଂଶୋଧନ ବିଲ୍ ପାରିତ ହୋଇଛି । ଏହା ବ୍ୟତୀତ ରାଷ୍ଟ୍ରୀୟ ନର୍ସିଂ ଓ ମଡୱାଇଫରି ଆୟୋଗ ବିଲ୍ ୨୦୨୩, ରାଷ୍ଟ୍ରୀୟ ଦନ୍ତ ଚିକିତ୍ସା ଆୟୋଗ ବିଲ୍ ୨୦୨୩ ଲୋକସଭାରେ ପାରିତ ହୋଇଛି ।

ଲୋକସଭା ଭଳି ରାଜ୍ୟସଭାରେ ବି ମଣିପୁର ଘଟଣାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବୟାନ ଦାବି କରି ବିରୋଧୀଦଳମାନେ ହୋହାଲ୍ଲା କରିଛନ୍ତି । ଏହି କ୍ରମରେ ଟିଏମସି ସାଂସଦ ଡାରେକ ଓବ୍ରାଏନ ଓ ରାଜ୍ୟସଭାର ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ମଧ୍ୟରେ ତର୍କ ବିତର୍କ ଦେଖିବାକୁ ମିଳିଥିଲା ।