ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଷ୍ଟ୍ରପତି ଭବନ ପରିସରରେ ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ପଦ ସମ୍ଭାଳିବାକୁ ଯାଉଛନ୍ତି । ୨୦୧୪ ଭଳି ଏଥର ମଧ୍ୟ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ମନ୍ତ୍ରୀମଣ୍ଡଳଙ୍କ ଶପଥ ଗ୍ରହଣ ମେଗା ଇଭେଣ୍ଟ୍ ହେବ । କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଦେଶରୁ ୬୦୦୦ ଅତିଥିଙ୍କୁ ନିମନ୍ତ୍ରଣ ପଠାଯାଇଛି । ଏହାଛଡା ସାଂସଦ ଏବଂ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଶପଥଗ୍ରହଣ ଉତ୍ସବରେ ସାମିଲ ହେବା ପାଇଁ ନିମନ୍ତ୍ରଣ ଦିଆଯାଇଛି ।

Advertisment

ତେବେ ଶପଥଗ୍ରହଣ ପୂର୍ବରୁ ପ୍ରଧାନମନ୍ତ୍ରୀ ମହାତ୍ମା ଗାନ୍ଧୀ , ଅଟଳ ବିହାରୀ ବାଜପେୟୀ ଏବଂ ବୀର ସହିଦମାନଙ୍କୁ ସମାଧିସ୍ଥଳ ଯାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ସେ ପ୍ରଥମେ ରାଜଘାଟରେ ପହଁଚି ବାପୁଙ୍କ ସମାଧିସ୍ଥଳକୁ ଶ୍ରଦ୍ଧାଞ୍ଜଳୀ ଦେବା ସହ ଏହାପରେ ସଦେବ ଅଟଳ ସମାଧିସ୍ଥଳ ପହଚିଂ ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏଠାରେ ତାଙ୍କ ସହ ବିଜେପି ଅଧ୍ୟକ୍ଷ ଅମିତ୍ ଶାହ ଏବଂ ଅନ୍ୟ ସାଂସଦ ମଧ୍ୟ ଉପସ୍ଥିତ ଥିଲେ । ରାଜଘାଟ ଏବଂ ଅଟଳ ସମାଧି ସ୍ଥଳରେ ଶ୍ରଦ୍ଧାଞ୍ଜଳୀ ଦେବା ପରେ ମୋଦି ୱାର୍ ମେମୋରିଆଲରେ ପହଂଚିଥିଲେ । ସେଠାରେ ବୀର ସହିଦ୍ ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ । ତାଙ୍କ ସହ ରକ୍ଷାମନ୍ତ୍ରୀ ନିର୍ମଳା ସିତାରମଣ୍ ଙ୍କ ସହ ତିନିସେନାର ପ୍ରମୁଖ ଉପସ୍ଥିିତ ଥିଲେ ।

ଆଜିର ଏହି ଶପଥ ଗ୍ରହଣ ଉତ୍ସବରେ ଦେଶ ବିଦେଶର ପ୍ରାୟ ୮ହଜାର ଅତିଥି ଯୋଗ ଦେବେ । ପାକିସ୍ତାନ ବ୍ୟତୀତ ଅନ୍ୟ ପଡୋଶୀ ଦେଶର ରାଷ୍ଟ୍ରମୁଖ୍ୟମାନଙ୍କୁ ଭାରତ ସରକାର ନିମନ୍ତ୍ରଣ କରିଛନ୍ତି । ବାଂଲାଦେଶ, ନେପାଳ, ଭୁଟାନ, ଶ୍ରୀଲଙ୍କା, ମିଆଁମାର,ଥାଇଲ୍ୟାଣ୍ଡ, କିରଗିଜସ୍ଥାନ, ମାଳଦ୍ୱିପ ଭଳି ଅନେକ ଦେଶର ରାଷ୍ଟ୍ରମୁଖ୍ୟ ଉତ୍ସବରେ ସାମିଲ ହେବାପାଇଁ ସହମତି ପ୍ରଦାନ କରିଛନ୍ତି । ସେହିପରି ବିମଷ୍ଟେକ ରାଷ୍ଟ୍ରମୁଖ୍ୟଙ୍କୁ ନିମନ୍ତ୍ରଣ କରିଛନ୍ତି ମୋଦି ।

ବିଦେଶ ରାଷ୍ଟ୍ରମୁଖ୍ୟଙ୍କ ସମେତ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ବି ନିମନ୍ତ୍ରଣ କରାଯାଇଛି । ବିଜେପି ଶାସିତ ଅଧିକାଂଶ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଆନ୍ଧ୍ରପ୍ରଦେଶର ଭାବି ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ପ୍ରମୁଖ ଉତ୍ସବରେ ସାମିଲ ହେବାର କାର‌୍ୟ୍ୟକ୍ରମ ରହିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧି ଏହି ଉତ୍ସବରେ ଯୋଗ ଦେବେ ।

publive-image

ତେବେ ଏହି ଶପଥ ଗ୍ରହଣ ପାଇଁ ମୋଦିଙ୍କୁ ଶୁଭେଛା ଜଣାଇଥିଲେ ମଧ୍ୟ ନବୀନ ପଟ୍ଟନାୟକ ଯୋଗ ଦେଇପାରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି । ଆସନ୍ତା ଦୁଇ ଦିନ ଧରି ନୂଆ ବିଧାୟକମାନଙ୍କ ଶପଥ ଗ୍ରହଣ କାର‌୍ୟ୍ୟକ୍ରମ ରହିଥିବାରୁ ଏହି ଉତ୍ସବରେ ଯୋଗ ଦେଇପାରିବେ ନାହିଁ ବୋଲି କହିଛନ୍ତି ନବୀନ ।