ପାରା ଅଲମ୍ପିଆନଙ୍କ ଠାରୁ ଦେଶକୁ ମିଳୁଛି ପ୍ରେରଣା : ମୋଦୀ

77

କନକ ବ୍ୟୁରୋ: ପାରାଲିମ୍ପିକ୍ସ ଖେଳାଳୀଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପୂର୍ବରୁ ପାରାଲିମ୍ପିକ୍ସରେ ଭାରତ ପାଇଁ ପଦକ ଆଣିଥିବା ଖେଳାଳୀଙ୍କ ସହ ପ୍ରଧାନମନ୍ତ୍ରୀ ଟେଲିଫୋନ ମାଧ୍ୟରେ ଆଲୋଚନା କରିଥିବା ବେଳେ ଆଜି ସେମାନଙ୍କୁ ଭେଟି ସିଧା ସଳଖ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ।

ପାରାଲିମ୍ପିକ୍ସ ଖେଳାଳୀମାନେ ଆଜି ଦିଲ୍ଲୀସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଂଚିଥିଲେ । ସେଠାରେ କ୍ରିଡାମନ୍ତ୍ରୀ ଅନୁରାଗ ଠାକୁର ବି ଉପସ୍ଥିତ ଥିଲେ । ଟୋକିଓ ପାରାଲିମ୍ପିକ୍ସରେ ପଦକ ଜିତିଥିବା ସମସ୍ତ ଭାରତୀୟ ଖେଳାଳୀ ଜଣକ ପରେ ଜଣେ ପ୍ରଧାନମନ୍ତ୍ରୀଙ୍କ ନିକଟରେ ପହଂଚିଥିଲେ । ପ୍ରଧାନମନ୍ତ୍ରୀ ସେମାନଙ୍କ ପଦକୁ ହାତରେ ଧରି ଗର୍ବ ଅନୁଭବ କରିବା ସହ ଖେଳାଳୀମାନଙ୍କୁ ଭବିଷ୍ୟତରେ ଆହୁରି ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରନ୍ତୁ ବୋଲି ପରାମର୍ଶ ଦେଇଥିଲେ । ଏହାସହ ଖେଳାଳୀମାନଙ୍କ କ୍ରିଡା ସାମଗ୍ରୀ ନିଲାମ ହେବ ବୋଲି ପ୍ରଧାନମନ୍ତ୍ରୀ ହସ ହସ ମୁହଁରେ କହିଥିଲେ । କିଛି ଖେଳାଳୀ ପ୍ରଧାନମନ୍ତ୍ରୀଙ୍କ ପାଇଁ ଉପହାର ବି ଆଣିଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ପଦକ ବିଜେତାଙ୍କୁ ପ୍ରଶଂସା କରିବା ସହ ସବୁବେଳେ ସକରାତ୍ମକ ଭାବନା ରଖି ଆଗକୁ ବଢିବାକୁ ପରାମର୍ଶ ଦେଇଛନ୍ତି । ଏହାସହ ଖେଳାଳୀ ମାନଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ କହିଥିଲେ କି ‘ତୁମ ମାନଙ୍କ କଠିନ ପରିଶ୍ରମ ଯୋଗୁଁ ତୁମେ ସାରା ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଦେଶ ପାଇଁ ଗର୍ବ ଓ ଗୌରବ ସାଉଣ୍ଟିଛ, ମୁଁ ତୁମ ମାନଙ୍କ ସହ ସର୍ବଦା ରହିଛି । ’

କହିରଖୁ କି ଭାରତ ଇତିହାସରେ ପ୍ରଥମଥର ପାଇଁ ପରାଲିମ୍ପିକ୍ସରେ ଚଳିତ ବର୍ଷ ୧୯ ଟି ପଦକ ମିଳିଛି । ଏହି ୧୯ ଟି ପଦକ ମଧ୍ୟରେ ୫ ଟି ସ୍ୱର୍ଣ୍ଣ ପଦକ ରହିଛି । ୯ ତାରିଖ ଦିନ ପ୍ରଧାନମନ୍ତ୍ରୀ ସମସ୍ତ ପଦକ ବିଜେତାଙ୍କୁ ଭେଟି ଶୁଭେଚ୍ଛା ଜଣାଇଥିଲେ । ଆଜି ପ୍ରଧାନମନ୍ତ୍ରୀଙ୍କୁ ପାଖରେ ପାଇ ସମସ୍ତ ପଦକ ବିଜେତା ମାନେ ଖୁସି ଅନୁଭବ କରିଛନ୍ତି ।