ମିଶନ ୨୦୨୪ର ପ୍ରସ୍ତୁତିରେ ମୋଦୀ, ଏନଡିଏର ପ୍ରତ୍ୟେକ ସାଂସଦଙ୍କୁ ଦେବେ ବିଜୟର ମନ୍ତ୍ର। ଏମିତି ରହିଛି ପୂରା ପ୍ଲାନ୍

80

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ୨୦୨୪ ନେଇ ରାଜନୈତିକ ଦଳ ନିଜର ରଣନୀତି ପ୍ରସ୍ତୁତ କରିଚାଲିଛନ୍ତି । ବିରୋଧୀ ଦଳ ଇଣ୍ଡିଆ ମେଣ୍ଟ ଜରିଆରେ ଆଗକୁ ବଢୁଛନ୍ତି । ସେପଟେ ଏନଡିଏ ନିଜର ସାଥୀଙ୍କୁ ଯୋଡିବା ପାଇଁ କାମ ଆରମ୍ଭ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଏନଡିଏର ୩୩୦ ସାଂସଦଙ୍କ ସହ ସାକ୍ଷାତ କରିବା ସହ ୨୦୨୪ ନିର୍ବାଚନ ନେଇ ଆଲୋଚନା କରିବେ ।

ଜୁଲାଇ ୩୧ରୁ ଅଗଷ୍ଟ ୧୦ ଯାଏ ଏନଡିଏ ସାଂସଦ ଅଲଗା ଅଲଗା ସମୂହ କରି ପ୍ରଧାନମନ୍ତ୍ରୀଙ୍କ ସହ ଚର୍ଚ୍ଚା କରିବେ । ଅନେକ ସାଂସଦ ନିଜର କାମର ସମସ୍ତ ତଥ୍ୟ ପ୍ରଧାନମନ୍ତ୍ରୀଙ୍କୁ ଦେବେ । ପ୍ରଧାନମନ୍ତ୍ରୀ ସାଂସଦଙ୍କୁ ବିଜୟର ମନ୍ତ୍ର ଦେବେ ।

ଏହି ବୈଠକର ଶୁଭାରମ୍ଭ ଉତ୍ତରପ୍ରଦେଶର ସାଂସଦଙ୍କ ଠାରୁ ଆରମ୍ଭ ହେବ । ୩୧ ଜୁଲାଇରେ ପଶ୍ଚିମ ୟୁପି, ବ୍ରଜ, କାନପୁର ଏବଂ ବୁନ୍ଦେଲଖଣ୍ଡ କ୍ଷେତ୍ରର ସାଂସଦଙ୍କ ସହ ବୈଠକ କରିବେ । ପ୍ରଧାନମନ୍ତ୍ରୀଙ୍କ ସହ ଜେପି ନଡ୍ଡା ଏବଂ ନୀତିନ ଗଡକରୀ ମଧ୍ୟ ଏହି ବୈଠକରେ ଉପସ୍ଥିତ ରହିବେ । ଏବି ବୈଠକର ଦାୟିତ୍ୱ ସଞ୍ଜୀବ ବାଲିଆନ, ବିଏଲ ବର୍ମାଙ୍କୁ ଦିଆଯାଇଛି ।

୩୧ ଜୁଲାଇରେ ୟୁପି ପରେ ପଶ୍ଚିମବଙ୍ଗ, ଝାଡଖଣ୍ଡ ଏବଂ ଓଡିଶାର ସାଂସଦଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ । ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହ ଗୃହମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ ସାମିଲ ରହିବେ । ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଶାନ୍ତନୁ ଠାକୁର ଏହାର ନେତୃତ୍ୱ ନେବେ । ମୋଟ ୪୧ ସାଂସଦ ବୈଠକରେ ଉପସ୍ଥିତ ରହିବେ ।