ମୋଦୀଙ୍କ ପ୍ରଂଶସାରେ ଶତମୁଖ ନୀତିଶ କୁମାର । କହିଲେ, ଏବେ ଆମେ ଆପଣଙ୍କ ସାଥୀରେ ରହିବୁ, ଏପଟେ-ସେପଟ ହେବୁନି । ଏନଡିଏ ଜିତିବ ୪୦୦ରୁ ଅଧିକ ସିଟ୍ ।

298

କନକ ବ୍ୟୁରୋ : ବିହାର ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶନିବାର ଔରଙ୍ଗାବାଦରେ ପ୍ରଧାନମନ୍ତ୍ରୀ ମୋଦୀ ଅନେକ ପ୍ରକଳ୍ପର ଉଦଘାଟନ୍ କରିଛନ୍ତି । ତେବେ ଏହି ଅବସରରେ ସେଠାରେ ଉପସ୍ଥିତ ଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ତାଙ୍କ ଭାଷଣରେ ଏମିତି କିଛି କଥା କହିଥିଲେ, ଯାହାକୁ ଶୁଣି ହସି ପକାଇଥିଲେ ପିଏମ୍ ମୋଦୀ । ନୀତିଶ କୁମାର କହିଥିଲେ ଯେ, ଆପଣ ପୂର୍ବରୁ ବି ଏଠାକୁ ଆସିଥିଲେ, ହେଲେ ଆମେ କିନ୍ତୁ ଗାଏବ ହେଇଯାଇଥିଲୁ । ହେଲେ ଏବେ ଆପଣଙ୍କୁ ଆଶ୍ୱସ୍ତ କରୁଛୁ ଯେ, ଏବେ ଆମେ ଏପଟ-ସେପଟ ହେବୁନି । ନୀତିଶ କୁମାର ପିଏମ୍ ମୋଦୀଙ୍କୁ ସମ୍ବୋଧିତ କରି ଆହୁରି କହିଛନ୍ତି ଯେ, ବହୁତ କାମ ଚାଲିଛି, ତାକୁ ଜଲଦି ଶେଷ କରିବାକୁ ଚେଷ୍ଟା ଚାଲିଛି ।

ନିକଟରେ ମହାମେଣ୍ଟରୁ ହଟି ବିଜେପି ସହ ମିଶି ସରକାର ଗଢିଛନ୍ତି ନୀତିଶ କୁମାର । ଆଉ ଏହି କାର୍ଯ୍ୟକ୍ରମରେ ସେ କହିଛନ୍ତି, ଆମେ ୨୦୦୫ରୁ ଏକାଠି ଅଛୁ । ଆମେ ମିଶିକରି ଅନେକ କାମ କରିଛୁ । ପୂର୍ବରୁ କିଛି କାମ ହେଇନଥିଲା, ଲୋକ ପାଠ ପଢିବାକୁ ମଧ୍ୟ ସୁଯୋଗ ନଥିଲା । ହେଲେ ୨୦୦୫ରୁ ମିଶି ଆମେ କାମ କରିଥିଲୁ ବୋଲି ନୀତିଶ କହିଛନ୍ତି ।

ଖାଲି ସେତିକି ନୁହେଁ, ନୀତିଶ ଆହୁରି ମଧ୍ୟ କହିଛନ୍ତି ଯେ, ବିହାର ଆଗକୁ ବଢିବା ଆମର ଇଚ୍ଛା । ପ୍ରଧାନମନ୍ତ୍ରୀ ମୋଦୀ ଏମିତି ବିହାର ଆସୁଥାନ୍ତୁ । ଏଥିସହ ନୀତିଶ କୁମାର ଅବକି ବାର୍ ୪୦୦ ପାର୍ ନାରା ମଧ୍ୟ ଦେଇଛନ୍ତି । ଆଉ କହିଛନ୍ତି, ପୂରା ବିଶ୍ୱାସ ଅଛି ଯେ, ଏନଡିଏ ଏଥର ୪୦୦ରୁ ଅଧିକ ସିଟ୍ ଜିତିବ ।