ପୁଲୱାମା ହାମଲାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ପାଲଟା ଆକ୍ରମଣ । କହିଲେ ସହିଦଙ୍କୁ ନେଇ କୁତ୍ସିତ ରାଜନୀତି କରିଥିଲେ ବିରୋଧୀ, ପଡୋଶୀ ଖୋଲିଦେଲା ସେମାନଙ୍କ ମୁଖା ।

295
କନକ ବ୍ୟୁରୋ: ଗୁଜାରଟରୁ ବିରୋଧୀଙ୍କୁ କଡା ଭାଷାରେ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରଥମ ଥର ପାଇଁ ପୁଲୱାମା ଆତଙ୍କବାଦୀ ହମଲାକୁ ନେଇ ବିରୋଧୀଙ୍କ ଉପରେ ପାଲଟା ଆକ୍ରମଣ କରିଛନ୍ତି ପ୍ରଧାନମନ୍ତ୍ରୀ । ସର୍ଦ୍ଦାର ପଟେଲଙ୍କ ଜନ୍ମଜୟନ୍ତୀ ଅବସରରେ ଷ୍ଟେଚ୍ୟୁ ଅଫ ୟୁନିଟିରେ ପ୍ରଧାନମନ୍ତ୍ରୀ ଶ୍ରଦ୍ଧା ସୁମନ ଅର୍ପଣ କରି କହିଛନ୍ତି, ପୁଲବାମା ଆତଙ୍କବାଦୀ ଆକ୍ରମଣ ପରେ କିଛି ଦଳ କୁତ୍ସିତ ରାଜନୀତି କରିଛନ୍ତି, ଦେଶ ସେମାନଙ୍କୁ କ୍ଷମା ଦେବ ନାହିଁ । ଏଥିସହ ସର୍ଦ୍ଦାର ସରୋବର ବନ୍ଧ ନିକଟରୁ ପଡୋଶୀ ପାକିସ୍ତାନ ଓ ଚୀନ ନାମ ନନେଇ କଡା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟ ସ୍ଥିତ ଷ୍ଟାଚ୍ୟୁ ଅଫ ୟୁନିଟି ଠାରେ ଆୟୋଜିତ ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ବିରୋଧୀଙ୍କ ଟାର୍ଗେଟ କରିଛନ୍ତି । ପୁଲବାମା ହମଲାକୁ ପ୍ରସଙ୍ଗ କରି ବିରୋଧୀଙ୍କ ଉପରେ ବର୍ଷିଛନ୍ତି ନରେନ୍ଦ୍ର ମୋଦି ।
ପୁଲବାମା ଆତଙ୍କବାଦୀ ହମଲା ପ୍ରସଙ୍ଗରେ କଂଗ୍ରେସର ନାମ ନନେଇ ବିରୋଧୀଙ୍କ ଉପରେ ବଡ ଆକ୍ରମଣ କରିଛନ୍ତି ପ୍ରଧାନମନ୍ତ୍ରୀ । କହିଛନ୍ତି ଆତଙ୍କୀ ହମଲା ପରେ ନେତା କଳା କୌଶଳ ଦେଖାଇ ସରକାରଙ୍କ ଉପରେ ଭିନ୍ନ ଭିନ୍ନ ପ୍ରଶ୍ନବାଣ ଛାଡୁଥିଲେ । ହେଲେ ପଡୋଶୀ ଦେଶରୁ ଯେଉଁ ଖବର ଆସିଲା, ତାହା ସେହି ଦଳଗୁଡିକର ମୁଖା ଖୋଲିଦେଲା ।
ସେହିପରି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଉଦାହରଣ ଦେଇ ରାଜନୈତିକ ଦଳକୁ ଜାତୀୟ ସୁରକ୍ଷାକୁ ନେଇ ରାଜନୀତି ନକରିବାକୁ କହିଛନ୍ତି  । ଚୀନ ସହ ଲଦ୍ଦାଖ ସୀମାରେ ମୁହାମୁହିଁ ପ୍ରସଙ୍ଗକୁ ନେଇ ଗୁଜରାଟରୁ ଡ୍ରାଗନକୁ କଡା ଚେତାବନୀ ଦେଇଛନ୍ତି ମୋଦି । କହିଛନ୍ତି ଭାରତକୁ କେହି ନାଲି ଆଖି ଦେଖାଇ ପାରିବ ନାହିଁ ଆଉ ଯିଏ ଦୁଃସାହାସ କରିବ ତାକୁ ମୁହଁତୋଡ ଜବାବ ଦିଆଯିବ । ସେହିପରି ପାକିସ୍ତାନର ନାମ ନନେଇ ଫ୍ରାନ୍ସ କାର୍ଟୁନ ବିବାଦକୁ ନେଇ କଡା ଟିପ୍ପଣୀ କରିଛନ୍ତି ପ୍ରଧାନମନ୍ତ୍ରୀ । ପାକିସ୍ତାନ ସଂସଦରେ ମନ୍ତ୍ରୀ ଫୱାଦ ଚୌଧୁରୀ ପୁଲବାମା ହମଲା ଇମ୍ରାନ ସରକାରଙ୍କ କାମ ବୋଲି ଗର୍ବର ସହ କହିଥିଲେ । ପଡୋଶୀର ସ୍ୱୀକାରୋକ୍ତି ପରେ ପଟେଲଙ୍କ ଜନ୍ମଜୟନ୍ତୀରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ।