ଚୀନ୍ ରାଷ୍ଟ୍ରପତିଙ୍କୁ ଏହି ସ୍ୱତନ୍ତ୍ର ଦୀପ ଉପହାର ଦେଲେ ମୋଦି । ଏହି ଦୀପକୁ ଗଢିବାକୁ ୮ଜଣ କଳାକାର ନେଇଥିଲେ ୧୨ ଦିନ ସମୟ ।

203

କନକ ବ୍ୟୁରୋ : ଚୀନ ରାଷ୍ଟ୍ରପତି ସି  ଜିନପିଙ୍ଗ୍  ଶୁକ୍ରବାର ଦୁଇଦିନିଆ ଭାରତ ଗସ୍ତରେ ଆସିଥିଲେ । ତାଙ୍କ ବିମାନ ଚେନ୍ନାଇ ବିମାନବନ୍ଦରରେ ଓହ୍ଲାଇଥିଲା । ସେଠାରୁ ତାମିଲନାଡୁର ମହାବଳୀପୁରମ୍‌ରେ ସେ ପହଞ୍ଚି ଥିଲେ । ଚାଇନା ରାଷ୍ଟ୍ରପତି ଜିନପିଙ୍ଗ୍‌ଙ୍କୁ ସ୍ୱାଗତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ନିଜେ ମହାବଳୀପୁରମ୍ ପହଞ୍ଚିଥିଲେ ।

ମୋଦୀ ଜିନପିଙ୍ଗ୍‌କୁ ପ୍ରଥମେ ତୀର୍ଥସ୍ଥଳୀ ବୁଲାଇଥିଲେ ଓ ପରେ ବିଭିନ୍ନ ପ୍ରକାର ଉପହାର ଦେଇଥିଲେ । ଆଜି ଭାରତରୁ ଅଜସ୍ର ଭଲ ପାଇବା ସହ ମୋଦୀଙ୍କ ଏହି ଉପହାର ନେଇ ବେଜିଂ ଫେରିଯାଇଛନ୍ତି ଚୀନ ରାଷ୍ଟ୍ରପତି । ଗତକାଲି ମୋଦୀ ଚାଇନା ରାଷ୍ଟ୍ରପତିଙ୍କୁ ଗୋଟିଏ ଚାଚିଆରକୋଲି ଉପହାର ଦେଇଥିଲେ । ଏହି ୬ ଫୁଟ ଉଚ୍ଚର କାରୁକାର୍ଯ୍ୟପୂର୍ଣ୍ଣ ଦୀପଟି ସଂପୂର୍ଣ୍ଣ ଭାବେ ବ୍ରୋଞ୍ଜରେ ତିଆରି ହୋଇଥିବା ବେଳେ ଏହା ଉପରେ ସୁନାର ଝଳେଇ ଦିଆଯାଇଛି । ଏହାକୁ ତିଆରି କରିବା ପାଇଁ ୮ଜଣ କଳାକାରଙ୍କୁ ୧୨ଦିନର ସମୟ ଲାଗିଥିଲା । ଏହାର ଓଜନ ୧୦୮ କେଜି ରହିଛି ।

ଏହାବାଦ୍‌ ଏକ ୩ ଫୁଟ ଉଚ୍ଚର ଏକ ନୃତ୍ୟରତା ସରସ୍ୱତୀ ତାଞ୍ଜାଭୁର ଚିତ୍ରକଳା ମୋଦୀ ଜିଙ୍ଗ୍‌ପିଙ୍ଗ୍‌ଙ୍କୁ ଉପହାର ଦେଇଥିଲେ । ଏହି ଉପହାରରେ ତାମିଲନାଡୁର ସଂସ୍କୃତି ଓ ପରମ୍ପରାର ଝଲକ ରହିଛି । ଏହି ଚିତ୍ରକୁ ଚିତ୍ରଶିଳ୍ପୀ ଲୋଗନାଥନ୍‌ଙ୍କୁ ତିଆରି କରିବା ପାଇଁ ୪୫ଦିନର ସମୟ ଲାଗିଥିଲା । ଏହାକୁ ଗୋଟିଏ କାଠଫ୍ରେମ ଦ୍ୱାରା ବାଇଣ୍ଡିଂ କରାଯାଇଛି ।