କନକ ବ୍ୟୁରୋ : ହ୍ୱାଇଟ୍ ହାଉସରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ପହଂଚିବା ପରେ ତାଙ୍କୁ ସ୍ୱାଗତ କରିଥିଲେ ବାଇଡେନ୍ । ଦୁଇ ନେତା ପରସ୍ପରକୁ ଉପହାର ଦେଇଛନ୍ତି । ଜୋ ବାଇଡେନଙ୍କୁ କିଛି ସ୍ୱତନ୍ତ୍ର ଉପହାର ଦେଇଛନ୍ତି ପ୍ରଧାନମନ୍ତ୍ରୀ । ରାଜସ୍ଥାନର କାରିଗର ତିଆରି କରିଥିବା ହଲମାର୍କ ରୁପା ମୁଦ୍ରା ସହ ଗୁଜରାଟର ଲୁଣ, କୋଲକାତାର କାରିଗର ପ୍ରସ୍ତୁତ କରିଥିବା ରୁପାର ନଡ଼ିଆ ଉପହାର ଭାବେ ଦେଇଛନ୍ତି ।

Advertisment

କର୍ଣ୍ଣାଟକର ଚନ୍ଦନକାଠ, ତାମିଲନାଡୁର ଧଳା ରାଶି, ରାଜସ୍ଥାନର ୨୪ କ୍ୟାରେଟ୍ ସୁଦ୍ଧ ଓ ହଲମାର୍କ ସ୍ୱର୍ଣ୍ଣ ମୁଦ୍ରା ଉପହାର ଦେଇଛନ୍ତି । କେବଳ ଏତିକି ନୁହଁ, ପଞ୍ଜାବର ଘିଅ, ଝାଡଖଣ୍ଡର ଟସର କପଡା, ଉତରଖଣ୍ଡର ଲମ୍ବା ସରୁ ଚାଉଳ, ମହାରାଷ୍ଟ୍ରର ଗୁଡ଼ ମଧ୍ୟ ଉପହାର ଭାବେ ଦେଇଛନ୍ତି । ଏହା ସହ ଏକ ଚନ୍ଦନ ପେଡ଼ି ମଧ୍ୟ ଉପହାରରେ ରହିଛି । ଏହି ଚନ୍ଦନ ପେଡିରେ ରହିଛି, ରୁପାର ଗଣେଶ ମୂର୍ତି, ରୁପାର ତେଲ ଦୀପ ଓ ରୂପାର ନଡ଼ିଆ । ସେହିପରି ଫାଷ୍ଟ ଲେଡି ଜିଲ ବାଇଡେନଙ୍କୁ ଗ୍ରୀନ୍ ୭.୫ କ୍ୟାରେଟ୍ର ଡାଇମଣ୍ଡ ଉପହାର ଭାବେ ଦେଇଛନ୍ତି ପ୍ରଧାନମନ୍ତ୍ରୀ । କାଶ୍ମୀରରେ ତିଆରି ହୋଇଥିବା ଏକ ଆକର୍ଷଣୀୟ ଛୋଟ ପେଡିରେ ଏହି ହୀରାକୁ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ସେହିପରି ମୋଦୀଙ୍କୁ ମଧ୍ୟ ଉପହାର ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ । ମୋଦୀଙ୍କୁ ଏକ ସ୍ୱତନ୍ତ୍ର କ୍ୟାମେରା ଓ ପୁସ୍ତକ ଉପହାର ଭାବେ ଦେଇଛନ୍ତି ବାଇଡେନ୍ ।