ମୋଦୀଙ୍କୁ ନିର୍ବାଚନ ଆୟୋଗଙ୍କ କ୍ଲିନଚିଟ୍ । ଦେବୀ, ଦେବତାଙ୍କ ନାମରେ ଭୋଟ୍ ମାଗିନାହାଁନ୍ତି ପ୍ରଧାନମନ୍ତ୍ରୀ ।

302

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିର୍ବାଚନ ଆୟୋଗଙ୍କ କ୍ଲିନଚିଟ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେବୀ ଦେବତାଙ୍କ ନାମରେ ଭୋଟ୍ ମାଗୁଥିବା ନେଇ ହେଇଥିବା ଅଭିଯୋଗରେ, ପ୍ରଧାନମନ୍ତ୍ରୀଙ୍କୁ କ୍ଲିନଚିଟ୍ ଦେଇଛନ୍ତି ନିର୍ବାଚନ ଆୟୋଗ । ସୂଚନାଯୋଗ୍ୟ ଯେ, ପିଲିଭିତରେ ରାଲିକୁ ସମ୍ବୋଧିତ କରିବା ସମୟରେ ପିଏମ୍ ମୋଦୀ ଅଯୋଧ୍ୟା ରାମ ମନ୍ଦିର ଏବଂ କର୍ତ୍ତାରପୁର କରିଡର କଥା ଉଲ୍ଲେଖ କରିଥିଲେ । ଯାହାକୁ ନେଇ ସୁପ୍ରିମକୋର୍ଟର ଓକିଲ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହେଇଥିଲେ । ମୋଦୀ ଦେବୀ ଦେବତାଙ୍କ ନାମ ନେଇ ଭୋଟ୍ ମାଗୁଥିବା ସେ ଅଭିଯୋଗ କରିଥିଲେ । ହେଲେ ଏ ସଂକ୍ରାନ୍ତରେ ମୋଦୀଙ୍କୁ ନିର୍ବାଚନ ଆୟୋଗ କ୍ଲିନଚିଟ୍ ପ୍ରଦାନ କରିଛନ୍ତି ।

ନିର୍ବାଚନ ଆୟୋଗଙ୍କ କହିବା କଥା, ପ୍ରଧାନମନ୍ତ୍ରୀ ମୋଦୀ ଆଚାର ସଂହିତାର ଉଲ୍ଲଙ୍ଘନ କରିନାହାଁନ୍ତି । ସେ କେବଳ ନିଜ ସରକାରୀ ଉପଲବ୍ଧି ଲୋକଙ୍କୁ ଜଣାଉଥିଲେ । ଏହାକୁ ଧର୍ମ ନାମରେ ଭୋଟ୍ ମାଗିବା କୁହାଯିବ ନାହିଁ । ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟ ଓକିଲ ଆନନ୍ଦ ଏସ ନିର୍ବାଚନ ଆୟୋଗଙ୍କ ନିକଟରେ ଏପ୍ରିଲ ୯ ତାରିଖରେ ଏହି ଅଭିଯୋଗ କରିଥିଲେ । ଯାହା ଉପରେ ନିର୍ବାଚନ ଆୟୋଗ ମୋଦୀଙ୍କୁ କ୍ଲିନଚିଟ୍ ପ୍ରଦାନ କରିଛନ୍ତି ।